ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ହେଉ କିମ୍ବା ତାଳଚେର , ପାଲଲହଡା ଦେଇ ଯାଇଥିବା ଅନ୍ୟ ରାଜପଥ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି । ମୁଖ୍ୟତଃ ସମ୍ବଲପୁରରୁ କଟକ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୫ ମରଣଯନ୍ତା ପାଲଟିଛି । ଅନେକ ବର୍ଷ ହେଲା ଏହି ରାଜପଥର ସଂପ୍ରସାରଣ କାମ ଚାଲୁଥିଲେ ମଧ୍ୟ ସରିବାର ନାଁ ନେଉ ନାହିଁ । ରାଜପଥର ଅଧିକାଂଶ ସ୍ଥାନରେ ବଡ ବଡ ଗାତ ହୋଇ ରହିଥିବା ବେଳେ ପିଚୁ ସଂପୂର୍ଣ୍ଣ ଉଠି ଯାଇ ଧୁଳି ରେ ପରିପୂର୍ଣ୍ଣ ହୋଇ ରହିଛି । ଯାହା ଫଳରେ ଏହି ରାଜପଥ ଦେଇ ଯିବା ଆସିବା କରିବା କଷ୍ଟକର ହୋଇ ପଡିଛି । ଏପରିକି ଅନେକ ସମୟରେ ଦୁର୍ଘଟଣା ଘଟି ମୂଲ୍ଯବାନ ଜୀବନ ମଧ୍ୟ ନଷ୍ଟ ହେଉଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ଆଉ ଏହି ଅବସ୍ଥା ପାଇଁ ଜାତୀୟ ରାଜପଥ ସଂପ୍ରସାରଣ ପାଇଁ କାମ ନେଇଥିବା ଏଜେନ୍ସିକୁ ଦାୟୀ କରିବା ସହ ଫେବ୍ରୁଆରି ୨୮ ତାରିଖ ସୁଦ୍ଧା କାମ ସଂପୂର୍ଣ୍ଣ ନ ହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ମହେଶ । ତାଙ୍କ କହିବା କଥା ରାଜପଥ ସଂପ୍ରସାରଣ ପାଇଁ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଯେଉଁ ଜମି ଅଧିଗ୍ରହଣ ହେବା କଥା ତାହା ରାଜ୍ୟ ସରକାର ଅଧିଗ୍ରହଣ କରି ଏଜେନ୍ସିକୁ ହସ୍ତାନ୍ତର କରି ସାରିଛନ୍ତି । କେନ୍ଦ୍ର ସରକାର ମଧ୍ୟ ଯେତିକି ଅର୍ଥ ଦରକାର ତାହା ମଧ୍ୟ ପ୍ରଦାନ କରି ସାରିଛନ୍ତି । କେନ୍ଦ୍ର ସରକାର କୋଭିଡ ମହାମାରୀ ସମୟରେ ମଧ୍ୟ ଏଜେନ୍ସିକୁ କାମ କରିବାକୁ ଅନୁମତି ଦେଇଥିଲେ । ଏହା ପରେ ଜାତୀୟ ରାଜପଥର ଅଧିକାରୀ ମାନଙ୍କୁ ଡାକି ତାଗିଦ ମଧ୍ୟ କରିଛନ୍ତି । ଏହା ସତ୍ବେ କାମରେ ଅଗ୍ରଗତି ହେଉ ନାହିଁ । ଯାହାକି କାମ ନେଇଥିବା ଏଜେନ୍ସିର ବରବାଦିଆ ନୀତି ପାଇଁ କାମ ସଂପୂର୍ଣ୍ଣ ହେବାରେ ବିଳମ୍ବ ହେଉଛି ବୋଲି ସାଂସଦ ମହେଶ ସାହୁ ଅଭିଯୋଗ ଆଣିଛନ୍ତି । ଏଥିପାଇଁ ସେ ଚଳିତ ମାସ ଶେଷ ସୁଦ୍ଧା କାମ ସଂପୂର୍ଣ୍ଣ ନ ହୋଇଥିଲେ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେବା ସହ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏହା ସହ ଅବହେଳା ପାଇଁ ଦାୟୀ ରହିଥିବା ଏଜେନ୍ସିର ଅଧିକାରୀଙ୍କୁ ଗିରଫ କରିବାକୁ ମଧ୍ୟ ସେ ଦାବି କରିବେ ବୋଲି କହିଛନ୍ତି ।
What’s your Reaction?
+1
+1
+1
1
+1
+1
18
+1
+1