ବନ୍ତଳା – ଏକଦା ଗାଁ ଦାଣ୍ଡରେ ଲାଗିରହୁଥିଲା ଗହଳିଚହଳି । ସକାଳୁ ଚଷା ପୁଅ ନିଜର ହଳଲଙ୍ଗଳ ଧରି କ୍ଷେତକୁ ବାହାରି ଯାଉଥିଲା । ମେଳା ମହୋତ୍ସବରେ ଆସର ସାଙ୍ଗକୁ ନାମ ସଂକୀର୍ତ୍ତନର ତାଳେ ତାଳେ ଦୁଲୁକୁଥିଲା ଏହି ଗାଁ । ବର୍ଷକରେ ବାର ମାସକୁ ନାନା ଜାତି ପର୍ବ ପର୍ବାଣୀ ଏକାଠି ହୋଇ ପାଳନ କରୁଥିଲେ ଗାଁ ଲୋକେ । ହେଲେ ଏବେ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ବଦଳିଛି ସମୟ ବଦଳିଛି ଏହି ଗାଁର ମାନଚିତ୍ର । ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଅନ୍ତର୍ଗତ ‘କୁରୁଡୁ’ ଗାଁ । ଏକଦା ଏହି ଗାଁ ଚାଷ ପାଇଁ ବେସ ପ୍ରସିଦ୍ଧି ଲାଭ କରିଥିଲା । ଆଉ ଏହି ଗାଁରେ ବସବାସ କରୁଥିବା ସମସ୍ତ ଲୋକ ଏହି ଚାଷକୁ ହିଁ ନିଜର ବୃତ୍ତି ଭାବେଗ୍ରହଣ କରି ନେଇଥିଲେ । ଶହଶହ ବର୍ଷ ପୂର୍ବରୁ ବସତି ଆରମ୍ଭ କରିଥିବା ଏହି ଗାଁ ଏବେ ଜନଶୂନ୍ୟ । ଏକଦା ଚାଷ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗାଁ ଏବେ ଶ୍ରୀହୀନ ପାଲଟି ଯାଇଛି ।
ପୂର୍ବରୁ ପ୍ରାୟ ୬୦ ପରିବାର ଏହି ଗାଁରେ ବସବାସ କରିବା ସହ ଚାଷବାସ କରି କୃଷିକୁ ଏକ ବିଳ୍ପବ ଦିଗକୁ ନେବାକୁ ଲାଗିଥିଲେ । ହେଲେ ଏହି ପରିବାର ଓ ଲୋକ ସଂଖ୍ୟା ଧୀରେ ଧୀରେ କମିକମି ଏବେ ମାତ୍ର ୪ ଟି ପରିବାର ଏହି ଗାଁରେ ବାସ କରୁଥିବା ଜଣାପଡିଛି । ତେବେ ଏତେ ପରିବାର କେଉଁ କାରଣରୁ ଗାଁ ଛାଡି ପଳାଇଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇବ । ଏହି ଗାଁ ଉଜୁଡିବାର ମୁଖ୍ୟ କାରଣ ହେଉଛି ଲୋକଙ୍କ ପାଖରେ ମୌଳିକ ସୁବିଧାର ଅପହଞ୍ଚ । ବଣଜଙ୍ଗଲ ଘେରା ଏହି ‘କୁରୁଡୁ’ ଗାଁକୁ ଆଜି ଯାଏ ସବୁଦିନିଆ ରାସ୍ତା ଖଣ୍ଡେ ହୋଇପାରିଲା ନାହିଁ । ଏହି ରାସ୍ତା ଓ ଗମନାଗମନର ସୁବିଧା ନଥିବାରୁ ଲୋକେ ଗାଁ ଛାଡିଥିବା ବେଳେ ଏବେ ବାକି ଯେଉଁ କିଛି ଲୋକ ନିଜ ଭାଗ୍ୟକୁ ଆଦରି ଏଠାରେ ପଡିରହିଛନ୍ତି । ସେମାନଙ୍କ ଦୁଃଖ ଦୁର୍ଦ୍ଦଶା କହିଲେ ନସରେ । ୪ଟି ପରିବାରରେ ଏବେ ମାତ୍ର ୧୨ ଜଣ ଲୋକ ବସବାସ କରୁଛନ୍ତି । ଚାରିପାଖରେ ବଡ଼ ବଡ଼ ପାହାଡ଼ ଘେରି ରହିଛି ଏହି ଗାଁ କୁ । ଯିବା ଆସିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ । ପିଇବାକୁ ବିଶୁଦ୍ଧ ପାନୀୟ ଜଳ ମୁନ୍ଦାଏ ମିଳିବା କଷ୍ଟକର ବ୍ୟାପାର । ବିଜୁଳି କଣ ଜାଣି ନାହାନ୍ତି ଏହି ଗାଁ ଲୋକେ । ସ୍ୱାସ୍ଥ୍ୟସେବା ଏମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅପହଞ୍ଚ। ରାସ୍ତାର ସ୍ଥିତି ଏପରି ଯେ ଯଦି କୌଣସି ଲୋକ କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ହଠାତ ମେଡିକାଲ ଆଣିବାକୁ ହୁଏ । ତେବେ ଖଟିଆ ମାଧ୍ୟମରେ ବୋହି ବୋହି ମୁଖ୍ୟ ରାସ୍ତାକୁ ଆଣିବା ପରେ ଯାଇ ଚିକିତ୍ସାଳୟକୁ ଯାଇହୁଏ । ଅନ୍ୟପକ୍ଷେ ଏହି ପାହାଡ଼ତଳ ଅଞ୍ଚଳର ଜମି ଅତ୍ୟନ୍ତ ଉର୍ବର ହୋଇଥିବା ହେତୁ ଖୋଲା କୁଆ ମାନ ଖୋଲି ଗାଁର ଲୋକେ ମୁଖ୍ୟତଃ ଚାଷବାସ କରୁଥିଲେ । ବର୍ଷ ସାରା ଉତ୍ପାଦନ କରୁଥିବା ପନିପରିବାକୁ ବିକ୍ରି କରିବା ପାଇଁ ଦୈନଦିନ ଏହାର ବିକ୍ରି ସହ ବଜାରକୁ ନେବା ଆଣିବାରେ ଅସୁବିଧାର ସମ୍ମୁଖୀନ ହେଲେ । ତେବେ ଗାଁ ଟି ସମ୍ପୂର୍ଣ୍ଣ ଜଙ୍ଗଲ ମଧ୍ୟରେ ଅବସ୍ଥିତ ହୋଇଥିବାରୁ ସରକାରୀ ସୁବିଧା ସବୁ ଏହା ପାଇଁ ଅପହଞ୍ଚ ହୋଇପଡିଲା। ସରକାରଙ୍କ ଉଦାସୀନତା ହେତୁ ଧୀରେ ଧୀରେ ଗ୍ରାମବାସୀ ଗାଁ ଛାଡିବା ଆରମ୍ଭ କରିଲେ ।
କୌଣସି ସରକାରୀ ସୁବିଧା ପାଇନଥିବା ଏହି ଗାଁରେ କିନ୍ତୁ ରାଜନୈତିକ ଛକା ପଞ୍ଜା କମିନାହିଁ । ପ୍ରାପ୍ତ ସୂଚନା ମୁତାବକ ଗତ ପଞ୍ଚାୟତ ନିର୍ବାଚନରେ ଏହି ଲୋକ ମାନଙ୍କ ପାଖରୁ ଭୋଟ ଗ୍ରହଣ ପାଇଁ ଏହାର ଏକ ବୁଥ ମଧ୍ୟ ନିର୍ମାଣ ହୋଇଥିଲା । ତେବେ ଲୋକ ମଧ୍ୟ ନିଜର ମତଦାନ କରିଥିଲେ । କିନ୍ତୁ ଏହି ମତଦାନର କୌଣସି ଲାଭ ନାହିଁ ବୋଲି ଏଠାରେ ରହୁଥିବା ଲୋକେ ପ୍ରକାଶ କରିଛନ୍ତି । ଅନ୍ୟଏକ ବିସ୍ମୟର କଥା ଏହାଯେ ‛କୁରୁଡୁ’ ଏକ ରାଜସ୍ୱ ଗାଁ ଭାବେ ଘୋଷଣା ହୋଇଥିବା ବେଳେ ଆଜି ଏହା ଅନୁଗୋଳ ଜିଲା ମାନଚିତ୍ରରୁ ବିଲୀନ ହେବାକୁ ବସିଲାଣି ।
What’s your Reaction?
+1
+1
+1
+1
+1
+1
+1