ତାଳଚେର – ମା ହିଙ୍ଗୁଳାଙ୍କ ସ୍ୱପ୍ନାଦେଶ ପରେ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ପାଇଁ ତାଳଚେର ହେଁସମୁଳ ଗ୍ରାମଠାରେ ଦାରୁ ଚିହ୍ନଟ ହେବା ପରେ ଆଜି ଦାରୁ ସଂଗ୍ରହ କରାଯାଇ ସୁନ୍ଦରକଲି ଅଭିମୁଖେ ଯାଇଛି । ଏକ ବିରାଟ ବଡ ଶୋଭାଯାତ୍ରାରେ ଶଙ୍ଖ , ହରିବୋଲ , ହୁଳହୁଳି ନାଦ ସହ ଜଗନ୍ନାଥ ଧ୍ୱନି ତାଳେ ତାଳେ ଭକ୍ତ ମାନେ ଦାରୁ ନେଇ ଯାଇଛନ୍ତି । ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଶ୍ରୀ ବଜରଙ୍ଗବାଲା ସେବାଶ୍ରମ ସୁଦରକଲି ଆଶ୍ରମ ଠାରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିବା ବେଳେ ଏଥିପାଇଁ ନୂତନ ବିଗ୍ରହ ପାଇଁ ଦାରୁର ସନ୍ଧାନ ନମିଳିବାରୁ ମଠର ମହନ୍ତ ଆସି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ନିକଟରେ ଅଧିଆ ପଡ଼ିଥିଲେ । ଦିନକ ପରେ ମା ହିଙ୍ଗୁଳାଙ୍କ ସ୍ଵପ୍ନାଦେଶ କ୍ରମେ ତାଳଚେର ସ୍ଥିତ ହେଁସମୁଳ ଗ୍ରାମରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦାରୁ ଚିହ୍ନଟ ହୋଇଥିଲା । ଦାରୁ ଚିହ୍ନଟ ପାଇଁ ଯେଉଁ ୧୯ ଟି ପ୍ରକ୍ରିୟା ରହିଥାଏ ସେଥି ମଧ୍ୟରୁ ଅନେକ ଲକ୍ଷଣ ଯେପରି ଶଙ୍ଖ , ଚକ୍ର, ପଦ୍ମ , ଲଙ୍ଗଳ , ଆଦି ଚିହ୍ନକୁ ଦେଖି ଦାରୁ ଚୟନ ହୋଇଥିଲା । ଏପରିକି ଗଛ ମୂଳରେ ସାପ ମଧ୍ୟ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା । ପରେ ହେଁସମୁଳ ଗ୍ରାମରେ ପ୍ରଥମେ ସୁନା ଓ ରୁପା କୁରାଢ଼ିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦାରୁ ସଂଗ୍ରହ ହୋଇଥିଲା । ଏ ନେଇ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ହେଁସମୁଳ ଗ୍ରାମରେ ଦାରୁ ସଂଗ୍ରହ ପାଇଁ ମଠ ପକ୍ଷରୁ ମଠାଧିସ ବିଧିବଦ୍ଧ ଭାବେ ଦାରୁ ସଂଗ୍ରହ ପାଇଁ ହୋମ ଜଜ୍ଞ କରି ସମସ୍ତ ପ୍ରକ୍ରିୟା କରାଯାଇଥିଲା । ପୁରୀରୁ ବିଦ୍ୱାନ ପଣ୍ଡିତଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ଦାରୁ ସଂଗ୍ରହ କରି ଦାରୁକୁ ସୁନ୍ଦରକଲିସ୍ଥିତ ବଜରଙ୍ଗବାଲା ସେବାଶ୍ରମ ଆଶ୍ରମକୁ ନିଆଯିବାକୁ ବ୍ୟବସ୍ଥା କରାଯାଇଥିଲା । ଏହି ଦୁର୍ଲଭ ଦୃଶ୍ୟକୁ ଦେଖିବା ପାଇଁ ତାଳଚେରର ବିଭିନ୍ନ ଗ୍ରାମରୁ ଭକ୍ତଙ୍କ ସୁଅ ଛୁଟିବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଆଜି ଶେଷରେ ସୁସଜ୍ଜିତ ଟ୍ରାକ୍ଟର ଓ ଶଗଡରେ ଦାରୁ ନିଆ ଯାଇଥିଲା । ଦାରୁ ଗାଲାବେଳେ ରାସ୍ତା ସାରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହଜାର ହଜାର ଜଗନ୍ନାଥ ପ୍ରେମୀଙ୍କ ସମେତ ଖୋଦ ତାଳଚେର ବିଧାୟକ ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ସହ ତାଳ ବଜାଇ ନାଚି ନାଚି ଦାରୁ ନିଆ ଯାଉଥିବା ଶୋଭାଯାତ୍ରାରେ ସମାଇଲ ହୋଇଥିଲେ ।
What’s your Reaction?
+1
+1
1
+1
+1
+1
19
+1
1
+1