ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କର ଜୟନ୍ତୀ ପାଳିତ

ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କର ଜୟନ୍ତୀ ପାଳିତ

ଅନୁଗୁଳ – ଆଜି ପୂର୍ବାହ୍ନରେ ମହାନ ବିପ୍ଳବୀ , ସର୍ବୋଦୟ ନେତା , ବିଶିଷ୍ଟ ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲା ସ୍ତରୀୟ ୧୨୧ତମ ଜନ୍ମ ଜୟନ୍ତୀ ଉତ୍ସବ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ଉତ୍ସବରେ ଜିଲ୍ଲା କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ମଧୁସ୍ମିତା ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବକୃଷ୍ଣ ଚୌଧୁରୀଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କର ସରଳ , ନିରାଡମ୍ବର ଓ ତ୍ୟାଗପୂତ ଜୀବନକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କର ଆଦର୍ଶମୟ ଜୀବନ ଓ ସମୟାନୁବର୍ତିତା ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ । କାର୍ଲମାସ୍କ , ମହାତ୍ମାଗାନ୍ଧୀ , ଲେନିନ ତଥା ରବିନ୍ଦ୍ରନାଥ ଟାଗୋର ଆଦି ମହାନ ଜନନାୟକଙ୍କର ରଚନାତ୍ମକ କାର୍ଯ୍ୟପନ୍ଥା ତାଙ୍କ ଉପରେ ଅନେକ ପ୍ରଭାବ ପକାଇଥିଲା । ଓଡିଆ ଭାଷାକୁ ରାଜଭାଷାର ମାନ୍ୟତା ଦେବାରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ମାତୃଭାଷାକୁ ସେ ଅତ୍ୟନ୍ତ ଗୁରୁତ୍ବ ଦେଉଥିଲେ । ବିଧାନସଭାରେ ଓଡିଆ ଭାଷାକୁ ରାଜଭାଷା ହିସାବରେ ସ୍ଵିକୃତି ଦେବାର ପ୍ରଥମ ପରିକଳ୍ପନା କରିଥିଲେ ଓ ତାହାକୁ ସାକାର ମଧ୍ୟ କରିଥିଲେ । ଶିକ୍ଷା ସାମ୍ୟବାଦ ଆଣିବାରେ ସହାୟକ ହୋଇଥାଏ । ସେ ମୌଳିକ ଶିକ୍ଷା ଉପରେ ଗୁରୁତ୍ବ ଦେଉଥିଲେ । ସ୍ବାଧିନତା ପରବର୍ତୀ ସମୟରେ ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ସେ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଯାଇଛନ୍ତି ବୋଲି ମୁଖ୍ୟ ଅତିଥ୍‌ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ.ଧରଣୀଧର ନାଥ ଯୋଗ ଦେଇ ନବକୃଷ୍ଣଙ୍କର ଅଲୌକିକ ପ୍ରତିଭା ତଥା ନିରାଡମ୍ବର ଜୀବନଶୈଳୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ନବକୃଷ୍ଣ ଥିଲେ ଶୋଷିତ , ନିସ୍ପେଷିତ , ଖଟିଖିଆ ଓ କୃଷକଙ୍କର ସାଥୀ । ଲୋକ ଶକ୍ତିର ଉପାସକ ତଥା ବିଶାଳ ବ୍ୟକ୍ତିତ୍ବର ଅଧିକାରୀ । କ୍ଷମତାର ମୋହ ତାଙ୍କୁ ସ୍ପର୍ଶ କରିନଥିଲା । ବହୁମୁଖୀ ପ୍ରତିଭାର ଅଧିକାରୀ ଥିବା ନବକୃଷ୍ଣ ରାଜ୍ୟର ସମଗ୍ର ଉନ୍ନତି ଚାହୁଁଥିଲେ , ତାଙ୍କ ସମୟରେ ଅନେକ ଅନୁଷ୍ଠାନ ଯଥା ବୁର୍ଲା ଇଂଜିନିୟରିଂ କଲେଜ , ଚୌଦ୍ବାର କାଗଜ କଳ , ହୀରାକୁଦ ଡ୍ୟାମ , ଆଦି ଗଢିଉଠିଥିଲା । ସେ ସାରଥି ପତ୍ରିକା ଆରମ୍ଭ କରିଥିଲେ । ସ୍ବାଧିନତା ସଂଗ୍ରାମୀ ମାନଙ୍କର ପିଲାମାନଙ୍କ ପାଠପଢା ନିମନ୍ତେ ଅନୁଗୁଳରେ ସେ ବାଜିରାଉତ ଛାତ୍ରବାସ ଗଠନ କରିଥିଲେ ବୋଲି ସେ ପ୍ରକାଶ କରିଥିଲେ । ସାଧାରଣ ଜନତାଙ୍କ ପାଇଁ ଚିନ୍ତା କରୁଥିବା ନବକୃଷ୍ଣ ଦୁର୍ନୀତକୁ ତୀବ୍ର ବିରୋଧ କରୁଥିଲେ । ଏହି ଦିବସ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply