ହୋଲ୍ଡିଂ ଟ୍ୟାକ୍ସ୍ ବୃଦ୍ଧି ଅଭିଯୋଗ – ଚିନ୍ତାରେ ତାଳଚେରବାସୀ

ହୋଲ୍ଡିଂ ଟ୍ୟାକ୍ସ୍ ବୃଦ୍ଧି ଅଭିଯୋଗ – ଚିନ୍ତାରେ ତାଳଚେରବାସୀ

ତାଳଚେର -ଚିନ୍ତାରେ ତାଳଚେରବାସୀ । ତାଳଚେର ମ୍ୟୁନିସିପାଲିଟି ପକ୍ଷରୁ ଆଦାୟ ହେଉଥିବା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ବଢୁଛି ଚିନ୍ତା । ଇତି ମଧ୍ୟରେ ୧୦ଗୁଣା ବଢିସାରିଛି ହୋଲ୍ଡିଂ ଟ୍ୟାକ୍ସ । ଅଭିଯୋଗ ହେଉଛି ଯେ, ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ମୁନିସିପାଲ ଆକ୍ଟକୁ ଖିଲାପ କରୁଛି ତାଳଚେର ମ୍ୟୁନିସିପାଲିଟି । ଏହାକୁ ନେଇ ତାଳଚେର ନାଗରିକ ମଞ୍ଚ ପକ୍ଷରୁ ସାଧାରଣ ସମ୍ପାଦକ ଦେବରଞ୍ଜନ ସାମଲଙ୍କ ନେତୃତ୍ୱରେ ଏକ ବାର ଜଣିଆ ଟିମ୍ ତାଳଚେର ମ୍ୟୁନିସିପାଲିଟିର ନଗର ପାଳ ଓ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସୂଚନା ଯୋଗ୍ୟ ଯେ, ଦୀର୍ଘବର୍ଷ ଧରି ତାଳଚେରରେ ହୋଲ୍ଡିଂ ଟିକସ ବଢ଼ାଯାଇ ନଥିବା ବେଳେ ଏଥର ନୂଆ ଫର୍ମୁଲାରେ ବର୍ଦ୍ଧିତ ଟିକସ ଲାଗୁ କରାଯିବାରୁ କରୋନା ମାଡ଼ରେ ଆହତ ଲୋକଙ୍କ ଉପରେ ପାହାଡ଼ ଲଦିହେବା ଭଳି ପରିସ୍ଥିତି ଉପୁଜିଛି । ଅନେକ ବାସିନ୍ଦା ଅଭିଯୋଗ କରୁଛନ୍ତି ଯେ ପୂର୍ବ ବର୍ଷମାନଙ୍କରେ ଯେଉଁ ମାନଙ୍କୁ ୭୦୦/୮୦୦ ଟଙ୍କାର ହୋଲ୍ଡିଂ ଟିକସ ଦେବାକୁ ପଡ଼ୁଥିଲା ସେମାନଙ୍କୁ ଏବେ ୮ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଟିକସ ଦେବାକୁ କୁହାଯାଉଛି । ଏଭଳି ଟିକସ ବୃଦ୍ଧି ପ୍ରସ୍ତାବ କିଏ ଆଣିଲା ଓ ତାହା ଉପରେ କେବେ କେଉଁଠି ଲୋକଙ୍କ ଆପତ୍ତି ଅଭିଯୋଗ ଲୋଡ଼ି ଜନଶୁଣାଣି ହେଲା ତାହା ସାଧାରଣ ଲୋକ ତ ଦୂରର କଥା ଲୋକପ୍ରତିନିଧି ମାନଙ୍କୁ ବି ଜଣାନାହିଁ । ଆଜି ଆଲୋଚନା ସମୟରେ ତାଳଚେର ମ୍ୟୁନିସିପାଲିଟିର ନଗରପାଳ ପବିତ୍ର ଭୂତିଆ କହିଲେ ଯେ ହୋଲ୍ଡିଂ ଟିକସ ବୃଦ୍ଧି ନେ଼ଇ ବାରମ୍ବାର କାଉନସିଲ ମନା କରାଯାଇ ଥିଲେ ମଧ୍ଯ ପ୍ରଶାସନ ଏହାକୁ ହେୟ ଜ୍ଞାନ କରୁଛି। ଯଦି ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିରୁ ନିବୃତ୍ତ ନ ହୁଏ ତେବେ ସାଧାରଣ ଲୋକଙ୍କ ସହ ମିଶି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିଛନ୍ତି। କେବଳ ତାଳଚେର,ଅନୁଗୁଳ କି ଭୁବନେଶ୍ୱର ନୁହେଁ, ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ମଧ୍ୟ ହୋଲ୍ଡିଂ ଟିକସ ଢେର୍‍ ବଢ଼ାଇଛନ୍ତି । ଏ ପ୍ରସଙ୍ଗରେ ଏବେ ମାମଲା ଆଇନ୍‍ ଅଦାଲତକୁ ଗଲାଣି । କିନ୍ତୁ ଅନ୍ୟପକ୍ଷରେ ନିର୍ବାହୀ ଅଧିକାରୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହୁଛନ୍ତି ଯେ ଆଇନ୍‍ ସମ୍ମତ ଉପାୟରେ ହୋଲ୍ଡିଂ ଟିକସ ବୃଦ୍ଧି କରାଯାଇଛି । ଯଦି କୌଣସି ଲୋକଙ୍କର କିଛି ଅଭିଯୋଗ ଅଛି ତେବେ ପୁନର୍ବିଚାର କରାଯିବ ବୋଲି କହି ଥିଲେ। ଆଜିର ଏହି ଆଲୋଚନାରେ ଉପସଭାପତି ରଞ୍ଜିତ କୁମାର ମହାପାତ୍ର, ସହ ସମ୍ପାଦକ ଦୁର୍ଗା ଚରଣ ସାହୁ, ତୁଷାରକାନ୍ତ ପ୍ରଧାନ, ବିଭୁତି ଭୁଷଣ ମହାନ୍ତି, ଉପଦେଷ୍ଟା କେଶବ ଭୁତିଆ, ରଶ୍ମି ରଂଜନ ମିଶ୍ର ଙ୍କ ସମେତ ବହୁ ବୁଦ୍ଧିଜିବୀ ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
3
+1
1
+1
0

Leave a Reply