ଆଠମଲ୍ଲିକରେ ଖୋଲିବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ

ଆଠମଲ୍ଲିକରେ ଖୋଲିବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟ

ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପଶ୍ଚିମ ଓଡିଶାରେ ବିକାଶ କାର୍ୟ୍ୟକ୍ରମକୁ ତ୍ବରାନ୍ବିତ କରିବା ଏବଂ ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବା ପାଇଁ ପରିଷଦ ଅଧୀନରେ ଥିବା ୧୦ଟି ଜିଲ୍ଲା ଏବଂ ଆଠମଲ୍ଲିକରେ ପରିଷଦର କାର୍ଯ୍ୟାଳୟ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ଘୋଷଣାକୁ ନେଇ ଆଠମଲ୍ଲିକରେ ଉତ୍ସାହ ଦେଖାଦେଇଛି । ଏହାସହିତ ଯୁବକ ଯୁବତୀ ମାନଙ୍କ ପାଇଁ ଯେପରି ରୋଜଗାରର ଅଧିକ ସୁଯୋଗ ସୃଷ୍ଟି ହେବ, ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ୧୯୯୯-୨୦୦୦ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ପରିମାଣ ବର୍ଷକୁ ୩ କୋଟି ଥିବାବେଳେ ଏବେ ତାହା ୧୦୦ କୋଟିକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ପରିମାଣ ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ହେବ । ପଶ୍ଚିମ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଅନେକ ଗୁଡିଏ ବୃହତ ପ୍ରକଳ୍ପକୁ ତ୍ବରାନ୍ବିତ କରି ଠିକ୍‌ ସମୟରେ ଶେଷ କରିବା ପାଇଁ ପଦକ୍ଷେପ ନେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ବିଜୁ ଏକ୍‌ସପ୍ରେସ ୱେ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଆଦି ବୃହତ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ଦ୍ବାରା ପଶ୍ଚିମ ଓଡିଶାର ବିକାଶରେ କାୟାକଳ୍ପ ହୋଇପାରିବ ବୋଲି ଆଶା କରାଯାଉଛି । ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଯୋଗଦେଇ ପରିଷଦର କାର୍ଯ୍ୟକ୍ରମ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନା ରଖିଥିଲେ ।  ଉପସ୍ଥାପନାରୁ ଜଣାଯାଇଛି ଯେ, ବିଗତ ଦିନମାନଙ୍କରେ ପରିଷଦ ପକ୍ଷରୁ ସଡକ ନିର୍ମାଣ, ଶିକ୍ଷା ଭିତ୍ତିଭୂମି ଓ ଜଳସେଚନ ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରାଯାଇଛି । ଆଗାମୀ ଦିନରେ ପରିପରିବା, ଡାଲି ଜାତୀୟ ଫସଲ ଓ ତୈଳବିଜ, ଫୁଲଚାଷ ଆଦି ଉଦ୍ୟାନ କୃଷିଭିତ୍ତିକ କାର୍ୟ୍ୟକ୍ରମ ଉପରେ ଗୁରୁତ୍ବ ପ୍ରଦାନ, ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଦି କ୍ଷେତ୍ରରେ ପଶ୍ଚିମ ଓଡିଶା ଅଞ୍ଚଳରେ ବହୁତ ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଥିଲା । ପଶ୍ଚିମ ଓଡିଶା ଜିଲ୍ଲାଗୁଡିକରେ ସର୍ବାଧିକ ଅର୍ଥନୈତିକ ସମ୍ଭାବନା ଥିବା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ସୁବିଧା ସୃଷ୍ଟି କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, କୃଷି ଉତ୍ପାଦନ କମିଶନର ଆର୍‌. କେ. ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଆଶୋକ କୁମାର ମୀନା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply