ନକଲି ଔଷଧର ସିକିମ୍‌-କୋଲକାତା ଲିଙ୍କ୍‌ ! ଉଭୟ ରାଜ୍ୟକୁ ଯିବ ଡ୍ରଗ୍‌ସ୍‌ ନିୟନ୍ତ୍ରକଙ୍କ ଏସ୍‌ଟିଏଫ୍‌

ନକଲି ଔଷଧର ସିକିମ୍‌-କୋଲକାତା ଲିଙ୍କ୍‌ ! ଉଭୟ ରାଜ୍ୟକୁ ଯିବ ଡ୍ରଗ୍‌ସ୍‌ ନିୟନ୍ତ୍ରକଙ୍କ ଏସ୍‌ଟିଏଫ୍‌

ଅନୁଗୁଳ – ଅନୁଗୁଳ ନକଲି ଔଷଧ ମାମଲାର ଚେର ସିକିମ୍‌ ଓ କୋଲକାତା ପର୍ଯ୍ୟନ୍ତ ଲମ୍ବିଛି । ଏହି ଦୁଇ ଜାଗାରେ ଅନେକ ଗୁମର ଲୁଚିଥିବା ଜଣା ପଡିଛି । ଏବେ ଔଷଧ ନିୟନ୍ତ୍ରକଙ୍କ ସ୍ପେଶାଲ୍‌ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଉଭୟ ରାଜ୍ୟକୁ  ଯାଇ ତନାଘନା କରିବେ ବୋଲି ଜଣାପଡିଛି । ଅନୁଗୁଳରୁ ଧରାପଡିଥିବା ନକଲି ପାଣ୍ଟୋସିଡ୍‌ ଡିଏସ୍‌ଆର ବଟିକାକୁ ନେଇ ଏବେ ତଦନ୍ତକୁ  ଜୋର୍‌ଦାର୍‌ କରାଯାଇଛି । ଏପରିକି କଟକ ସହିତ ମଧ୍ୟ ଏହି କାରବାରର ସମ୍ପର୍କ ଥିବା ସନ୍ଦେହ କରାଯାଉଛି । ଔଷଧ ଯେଉଁଠି ପ୍ରସ୍ତୁତ କରାଯାଉଛି, ସେଠାକୁ ଯିବା ପରେ ଅନେକ  କଥା ଜଣାପଡିବ ବୋଲି ଏସ୍‌ଟିଏଫ୍‌ର ଜଣେ  ଅଧିକାରୀ କହିଛନ୍ତି । କିଛି ମାସ ତଳେ ଅନୁଗୁଳ  ଜିଲ୍ଲାପାଳ ନିଜର ଗ୍ୟାସ୍‌ ଓ ଅମ୍ଳ ସମସ୍ୟା ପାଇଁ  ଅନୁଗୁଳର କଦମପଡିଆଠାରେ ଥିବା ମା ବୁଢୀ ମେଡିସିନ୍‌ ଷ୍ଟୋର୍‌ରୁ ପାଣ୍ଟୋସିଡ୍‌ ଡିଏସ୍‌ଆର୍‌ ବଟିକା ଆଣି ଖାଇଥିଲେ । କିନ୍ତୁ ବଟିକା ଖାଇବା  ପରେ ତାଙ୍କ ପେଟ ଯନ୍ତ୍ରଣା ବଢିଥିଲା । ଫଳରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଆଡ୍‌ମିସନ ହେବାକୁ ପଡିଥିଲା । ଏହାପରେ ଔଷଧ ନକଲି ଥିବା ସନ୍ଦେହ କରି ଜିଲ୍ଲାପାଳ ଅଭିଯୋଗ କରିଥିଲେ । ଜିଲ୍ଲାପାଳଙ୍କ ଅଭିଯୋଗ ଆଧାରରେ ଔଷଧ  ନିୟନ୍ତ୍ରକଙ୍କ ପକ୍ଷରୁ ଗଠିତ ଏସ୍‌ଟିଏଫ୍‌ ଘଟଣାର ତଦନ୍ତ କରିଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ଉକ୍ତ  ମେଡିସିନ୍‌ ଷ୍ଟୋର ଏହି ଔଷଧକୁ ଅନୁଗୁଳର ଜଣେ ଔଷଧ ବିତରକଙ୍କଠାରୁ ଆଣିଥିଲା । ଏହାପରେ ଏସ୍‌ଟିଏଫ୍‌ ପକ୍ଷରୁ ଉକ୍ତ ଔଷଧ ନମୁନାକୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଗତ ମେ  ମାସ ୧୮ ତାରିଖରେ ପରୀକ୍ଷା ରିପୋର୍ଟରୁ ଉକ୍ତ ଔଷଧ ଅପମିଶ୍ରିତ ବା ନକଲି ବୋଲି ଧରାପଡିଥିଲା । କିନ୍ତୁ ତଦନ୍ତରୁ ଏକ ବଡ଼ ଘଟଣା ଜଣାପଡିଥିଲା ଯେ, ବିତରକ ଜଣକ ଉକ୍ତ ଔଷଧକୁ କିଣିବା ପୂର୍ବରୁ ବିକ୍ରି କରିଛି । କାରଣ ଏସ୍‌ଟିଏଫ୍‌ ତଦନ୍ତରେ ଦର୍ଶାଇଛି ଯେ, ସମ୍ପୃକ୍ତ ବିତରକ ୨୦୨୨ ମେ ୨୨  ତାରିଖରେ ୧୦୦ ଷ୍ଟ୍ରିପ୍‌ ପାଣ୍ଟୋସିଡ୍‌ ଡିଏସ୍‌ଆର୍‌ ବଟିକା କଟକ ସହରର ରାଣୀହାଟଠାରେ ଥିବା ଏକ ଏଜେନ୍ସିରୁ କିଣିଥିଲା । କିନ୍ତୁ ତଦନ୍ତ ରିପୋର୍ଟରେ  କୁହାଯାଇଛି ଯେ, ବିତରକଙ୍କ ପକ୍ଷରୁ ମେ ମାସ  ୨୮ ତାରିଖରେ ଉକ୍ତ ଔଷଧରୁ ୧୦ ଷ୍ଟ୍ରିପ୍‌ ଔଷଧ ଅନୁଗୁଳର ସମ୍ପୃକ୍ତ ମେଡିସିନ୍‌ ଷ୍ଟୋର୍‌କୁ ଓ ମେ ମାସ ୧୭ ତାରିଖରେ ୨ଟି ଷ୍ଟ୍ରିପ୍‌ ଔଷଧ କେନ୍ଦୁଝରର ଏକ ମେଡିସିନ୍‌ ଷ୍ଟୋର୍‌କୁ ବିକ୍ରି କରାଯାଇଥିଲା । ମେ ମାସ ୨୨ ତାରିଖରେ ରାଣୀହାଟରୁ ଉକ୍ତ ଔଷଧ  କିଣାଯାଇଥିବା ବେଳେ କିଣିବା ପୂର୍ବରୁ ଅର୍ଥାତ୍‌ ମେ ମାସ ୧୭ ତାରିଖରେ ବିତରକ କିଭଳି ଏହାକୁ  କେନ୍ଦୁଝରର ଏକ ମେଡିସିନ୍‌ ଷ୍ଟୋରକୁ ବିକ୍ରି କଲେ ତାହା ଏସ୍‌ଟିଏଫ୍‌ର ଅଧିକାରୀଙ୍କ ମନରେ ସନ୍ଦେହ  ସୃଷ୍ଟି କରିଥିଲା । ଏହାପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉକ୍ତ ଔଷଧ ଉପରେ ରିପୋର୍ଟ ଦେଇ କହିଲେ ଯେ, ଏହି ଔଷଧ ରୋଗୀଙ୍କୁ ଉପଶମ  ଦେବନି । ବରଂ ଏହାକୁ ବ୍ୟବହାର କରାଗଲେ ରୋଗୀ  ରକ୍ତବାନ୍ତି ସହିତ କଳାଝାଡା ଭଳି ରୋଗରେ ଆକ୍ରାନ୍ତ  ହେବେ । ଉକ୍ତ ଘଟଣା ପରେ ଏସ୍‌ଟିଏଫ୍‌ ପକ୍ଷରୁ ଗତ  ଜୁଲାଇ ୫ ତାରିଖରେ ଉଭୟ ମେଡିସିନ୍‌ ଷ୍ଟୋର ଓ ମେଡିସିନ୍‌ ବିତରକଙ୍କଠାରୁ କାଗଜପତ୍ର ଜବତ କରାଯିବା ସହିତ ଦୋକାନ ଓ ବିତରକ ପଏଣ୍ଟକୁ  ସିଲ୍‌ କରାଯାଇଥିଲା।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply