ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ବାଛୁରୀ – ଚିକିତ୍ସା ଯୋଗାଇ ଦେବାକୁ ନିବେଦନ

ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ବାଛୁରୀ – ଚିକିତ୍ସା ଯୋଗାଇ ଦେବାକୁ ନିବେଦନ

ଅନୁଗୁଳ – ଚିକିତ୍ସା ପାଇଁ ଗୁହାରି କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ବାଛୁରୀ । କଥା ଟା ଟିକେ ଅଡ଼ୁଆ ଲାଗିଲେ ବି ସତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ପଶୁ ଡାକ୍ତରଖାନାରେ ଚିକିତ୍ସା ନ ପାଇ ପଶୁପାଳକ ନିଜ ବାଛୁରୀ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗୁହାରି କରିବାକୁ ଆସିଥିବା ଦେଖିବାକୁ ମିଳିଥିଲା । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗାଁର ତରୁଣ କୁମାର ସାମଲଙ୍କ ଗାଈ ଗତ ଚାରି ଦିନ ପୂର୍ବରୁ ଏକ ଶାବକ ଜନ୍ମ କରିଥିଲା । ମାତ୍ର ଜନ୍ମ ପରେ ବାଛୁରୀର ମଳଦ୍ୱାର ନଥିବା ଦେଖିବାକୁ ମିଳିଥିଲା । ଏହାପରେ ତରୁଣ ବାଛୁରୀଟିର ଚିକିତ୍ସା ନିମନ୍ତେ ବଅଁରପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ ମଧ୍ୟ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ କାରଣରୁ ବାଛୁରୀର ଚିକିତ୍ସା କରାଯାଇ ପାରିବ ନାହିଁ ବୋଲି କହି ତାଙ୍କୁ ଫେରାଇ ଦିଆଯାଇଥିଲା । ଏହାପରେ ବିଭିନ୍ନ ପ୍ରାଣୀ ଚିକିତ୍ସକଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ନେହୁରା ହୋଇ ବିଫଳ ହୋଇଥିଲେ ।ଶେଷରେ ନିରୁପାୟ ହୋଇ ଆଜି ତରୁଣ ନିଜ ପରିବାର ସଦସ୍ୟଙ୍କ ସହ ବାଛୁରୀକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବାଛୁରୀର ଚିକିତ୍ସା ନିମନ୍ତେ ନିବେଦନ କରିଥିଲେ । ଓଡ଼ିଶା ପ୍ରାଣୀଚିକିତ୍ସା ସେବାସଙ୍ଘ ଦ୍ୱାରା ଆହୁତ ଆନ୍ଦୋଳନରେ ଅନୁଗୁଳ ଜିଲ୍ଲାର ପ୍ରାଣୀ ଚିକିତ୍ସକ ମାନେ ଗତ ୧୮ ତାରିଖରୁ ସମୂହ ଛୁଟିରେ ଯାଇଛନ୍ତି । ମୁଖ୍ୟତଃ ପ୍ରାଣୀଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଯଥା ୨୪ ଘଣ୍ଟା ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା ବ୍ୟବସ୍ଥା, ଜଟିଳ ରୋଗାକ୍ରାନ୍ତ ପ୍ରାଣୀମାନଙ୍କ ସ୍ଥାନାନ୍ତରଣ ସୁବିଧା, ନିଶୁଳ୍କ ସେବା ଇତ୍ୟାଦି ସହ ଓଡ଼ିଶାର ପ୍ରାଣୀଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନଙ୍କ ସହ ସମାନ ପଦୋନ୍ନତି (ଡି.ଏ.ସି.ପି.) ସୁବିଧା ପ୍ରଦାନ,ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ରସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନଙ୍କ ହାରରେ ଏନ. ପି. ଏ. ପ୍ରଦାନ ଓ ରାଜ୍ୟରେ ପ୍ରାଣୀଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି ଓ କ୍ୟାଡ଼ର ପୁନର୍ଗଠନ ଆଦି ଦାବି ନେଇ ଜିଲ୍ଲାର ପ୍ରାଣୀ ଚିକିତ୍ସକଗଣ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦାବି ପୂରଣ ନେଇ ବିଭିନ୍ନ ସମୟରେ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ଦାବି ପ୍ରତି କର୍ଣ୍ଣପାତ ନ କରିବାରୁ ବିତସ୍ପୃହ ହୋଇ ଓଡ଼ିଶାର ସମସ୍ତ ପ୍ରାଣୀଚିକିତ୍ସକମାନେ ଜାନୁଆରୀ ୧୮ ତାରିଖରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ କାରଣରୁ ଜିଲ୍ଲାର ପ୍ରାଣୀ ପାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅପରପକ୍ଷରେ ଆଜିର ଘଟଣାକୁ ନେଇ ପ୍ରାଣୀ ଚିକିତ୍ସକମାନେ ଦୁଃଖ ପ୍ରକାଶ କରିବା ସହ ଏଥିପାଇଁ ସରକାରଙ୍କ ଦାବି ପ୍ରତି ଅଣଦେଖାକୁ ଦାୟୀ କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
2

Leave a Reply