ଡାକ୍ତରଙ୍କ ପୁଅକୁ ଡାକ୍ତରୀ ପଢାଇବା କହି କୋଟିଏ ଟଙ୍କାର ଠକେଇ

ଡାକ୍ତରଙ୍କ ପୁଅକୁ ଡାକ୍ତରୀ ପଢାଇବା କହି କୋଟିଏ ଟଙ୍କାର ଠକେଇ

ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ବଳ ପୁଅକୁ ମେଡିକାଲ କଲେଜରେ ପାଠ ପଢ଼ାଇ ବଡ଼ ଡାକ୍ତର କରାଇବା ଆଶାରେ ବଡ଼ଧରଣର ଠକେଇର ଶିକାର ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମର୍ଶାଘାଇ ଥାନା ଶିଲିପୁର ଗାଁର କ୍ୟାରିୟର କନ୍‌ସଲ୍‌ଟାଣ୍ଟ ହୀରକ କୁମାର ପରିଡ଼ା ଏହି ଠକେଇ କରିଥିବା ଡାକ୍ତର ବଳ ଅଭିଯୋଗ କରିଛନ୍ତି । ଥରଥର ସେ ତାଙ୍କଠାରୁ କୋଟିଏ ଟଙ୍କା ନେଇଥିବା ବେଳେ ଟଙ୍କା ଫେରସ୍ତ ନ ହେବାରୁ ଦୀର୍ଘ ୫ବର୍ଷ ପରେ ଡାକ୍ତର ଶ୍ରୀ ବଳ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଦଫା ୪୨୦ରେ ଏକ ମାମଲା ରୁଜୁ କରି ତନାଘନା ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଡାକ୍ତର ବଳ ତାଙ୍କ ପୁଅ ଦେବୀ ପ୍ରସନ୍ନ ବଳଙ୍କୁ ଏକ ଖ୍ୟାତନାମା ମେଡିକାଲ୍ କଲେଜରେ ପିଜି ନାମ ଲେଖାଇବାକୁ ଚାହୁଁଥିଲେ । ଏଥିପାଇଁ ସେ ବିଭିନ୍ନ ସ୍ଥାନରେ କଥାବାର୍ତ୍ତା ଚଳାଇଥିବା ବେଳେ ମର୍ଶାଘାଇର କ୍ୟାରିୟର୍‌ କନ୍‌ସଲ୍‌ଟାଣ୍ଟ ଶ୍ରୀ ପରିଡ଼ାଙ୍କ ଯୋଗାଯୋଗରେ ସେ ଆସିଥିଲେ । ଏଥିପାଇଁ ଏକ କୋଟି ଟଙ୍କା ଦେଲେ ପୁଅର ନାମ ମ୍ୟାନେଜମେଣ୍ଟ୍ କୋଟାରେ ଲେଖାଇ ଦେବ ବୋଲି ଶ୍ରୀ ପରିଡ଼ା ଡାକ୍ତର ବଳଙ୍କୁ ଆଶ୍ବାସନା ଦେଇଥିଲେ। ଶ୍ରୀ ପରିଡ଼ାଙ୍କ କଥାରେ ବିଶ୍ଵାସ କରି ଡାକ୍ତର ବଳ ପ୍ରଥମ କିସ୍ତିରେ ଆଇସିଆଇସିଆଇ ବ୍ୟାଙ୍କ୍‌ ମହୀଶୂର ଶାଖାରେ ଆକାଉଣ୍ଟ୍‌ ଥିବା ପ୍ରଦୀପ କୁମାର ମିଶ୍ରଙ୍କ ପାଖକୁ ୫ଲକ୍ଷ ଟଙ୍କା ଟ୍ରାନ୍‌ସଫର କରିଥିଲେ । ୭.୧୨.୨୦୧୭ରେ ସ୍ବତନ୍ତ୍ର ପ୍ରଧାନଙ୍କ ଆକାଉଣ୍ଟକୁ ନିଜର ସମ୍ପର୍କୀୟ ଇତିଶ୍ରୀ ଷଡ଼ଙ୍ଗୀଙ୍କ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ପଠାଇଥିଲେ । ୩୦.୧୨.୨୦୧୭ରେ ଅନୁଗୁଳ ହୁଲୁରିସିଂହା ସ୍ଥିତ ସରୋଜିନୀ ହସ୍ପିଟାଲରେ ଶ୍ରୀ ପରିଡ଼ାଙ୍କୁ ନଗଦ ୩୦ ଲକ୍ଷ ଟଙ୍କା ଦିଆଯାଇଥିଲା । ୯.୧.୨୦୧୮ରେ ୨୦ଲକ୍ଷ, ୧୨.୧.୨୦୧୮ରେ ୧୦ଲକ୍ଷ, ୧୫.୧.୨୦୧୮ରେ ନଗଦ ୫ଲକ୍ଷ ଲେଖାଏଁ ଭୁବନେଶ୍ବର ମହର୍ଷି କଲେଜ ନିକଟସ୍ଥ ଭବାନି ପ୍ଲାଜା କ୍ବାର୍ଟର୍ସ ନମ୍ବର ସି-୨ ସ୍ଥିତ ବାସଭବନରେ ନଗଦ ଦିଆଯାଇଥିଲା । ୧୬.୧.୨୦୧୮ରେ ଆଉ ୫ଲକ୍ଷ ବମ୍ବେରେ ତାଙ୍କୁ ଦିଆଯାଇଥିଲା ବୋଲି ଡାକ୍ତର ଶ୍ରୀ ବଳ ଏତଲାରେ ଦର୍ଶାଇଛନ୍ତି । ସେହିପରି ୧୫.୨.୨୦୧୮ରେ ସରୋଜିନୀ ହସ୍ପିଟାଲ୍‌ରେ ଶ୍ରୀ ପରିଡ଼ାଙ୍କୁ ଅବଶିଷ୍ଟ ୧୫ଲକ୍ଷ ଟଙ୍କା ଦିଆଯାଇଥିଲା । ଏମିତି, ମୋଟ୍ ୮ଟି କିସ୍ତିରେ ଶ୍ରୀ ପରିଡ଼ାଙ୍କୁ ଡାକ୍ତର ବଳ କୋଟିଏ ଟଙ୍କା ଦେଇଥିଲେ । ମେଡିକାଲ୍ କଲେଜରେ ନାମ ଲେଖାଇବା ପାଇଁ ଶ୍ରୀ ପରିଡ଼ା ତାଙ୍କ ପୁଅଠାରୁ ଫଟୋ, ଦସ୍ତଖତ, ନୂଆ ସିମ୍‌ କାର୍ଡ ଆଦି ନେଇଥିଲେ । ଉତ୍ତର ପ୍ରଦେଶର ବରେଲି ଓ ଝାଡ଼ଖଣ୍ଡର ବୋକାରୋ ସେଣ୍ଟରରେ ପି.ଜି. ପ୍ରବେଶିକା ପରୀକ୍ଷା ଦେବାକୁ ଶ୍ରୀ ପରିଡ଼ା କହିଥିଲେ । ୨୦୧୮ ଓ ୨୦୧୯ରେ ଡାକ୍ତର ବଳଙ୍କ ପୁଅ ପ୍ରବେଶିକା ପରୀକ୍ଷା ବି ଦେଇଥିଲେ । କିନ୍ତୁ, ଶ୍ରୀ ପରିଡ଼ା କୌଣସି ପ୍ରକାରେ ତାଙ୍କର ନାମ ଲେଖାଇ ପାରିଲେ ନାହିଁ । ତେଣୁ, ଟଙ୍କା ଫେରସ୍ତ କରିବା ପାଇଁ ତାଙ୍କୁ କୁହାଯିବାରୁ ସେ ଅନ୍ୟ ପ୍ରଲୋଭନ ଦେଖାଇଥିଲେ । ପି.ଜି ସିଟ୍ ନ ହେଲେ ଡାକ୍ତର ବଳଙ୍କ ଦୁଇ ଯାଆଁଳା ପିଲାଙ୍କ ପାଇଁ ଦୁଇଟି ଏମ୍‌ବିବିଏସ୍ ସିଟ୍ ବ୍ୟବସ୍ଥା କରିବ ବୋଲି ପ୍ରବର୍ତ୍ତାଇଥିଲେ । କିନ୍ତୁ, କୌଣସି ଲାଭ ହେଲାନାହିଁ । ତେଣୁ ସେ ଟଙ୍କା ଫେରସ୍ତ ମାଗିଥିଲେ । ଫଳରେ ଶ୍ରୀପରିଡ଼ା ୨୫ଲକ୍ଷ ଟଙ୍କାର ଚେକ୍‌ ଦେଇଥିଲେ । କିନ୍ତୁ, ସେହି ଚେକ ବାଉନ୍‌ସ ହୋଇଯାଇଥିବା ଡାକ୍ତର ବଳ ଏତଲାରେ ଦର୍ଶାଇଛନ୍ତି । ଏହା ମଧ୍ୟରେ ଶ୍ରୀ ପରିଡ଼ା ପ୍ରାୟ ଦୁଇ ଲକ୍ଷ ଟଙ୍କା ଯଦିଓ ଫେରସ୍ତ କରିଛନ୍ତି, ଅନ୍ୟ ଟଙ୍କା ଫେରସ୍ତ ହୋଇନାହିଁ ବୋଲି ଡାକ୍ତର ବଳ ଏତଲାରେ ସ୍ପଷ୍ଟ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।

What’s your Reaction?
+1
26
+1
6
+1
2
+1
3
+1
11
+1
5
+1
2

This Post Has One Comment

Leave a Reply