ଜଣେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଅନୁଗୁଳ ଜିଲ୍ଲା ଖମାର ଥାନା ପରମାନନ୍ଦପୁର ଗାଁର ଜଣ୍ଡକା ଓରଫ ରାମ ପୂର୍ତ୍ତି(୫୭)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି ।
ସୂଚନା ଅନୁସାରେ, ୨୦୨୩ ମସିହା ଜୁନ୍ ୨୯ ତାରିଖରେ ଖମାର ଥାନା ଅଞ୍ଚଳର ଜଣେ ୧୭ବର୍ଷର ମାନସିକ ଅନଗ୍ରସର ଝିଅ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲେ । ଘର ଲୋକ ତାଙ୍କୁ ସେଦିନ ଖୋଜାଖୋଜି କରି ପାଇ ନଥିଲେ । ପରଦିନ ନାବାଳିକାଙ୍କ ମା’ ଖମାର ଥାନା ପରମାନନ୍ଦପୁର ଗାଁକୁ ଯାଇ ଖୋଜାଖୋଜି କରୁଥିଲା ବେଳେ ଜଣ୍ଡକା ପୂର୍ତ୍ତି ନାବାଳିକାଙ୍କୁ ଅଟକ ରଖି ଦୁଷ୍କର୍ମ କରୁଥିବା ଜାଣିବାକୁ ପାଇଥିଲେ । ନାବାଳିକାଙ୍କ ମାଙ୍କୁ ଦେଖି ରାମ ପୂର୍ତ୍ତି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପରେ ନାବାଳିକାଙ୍କୁ ଉଦ୍ଧାର କରି ଖମାର ଥାନାରେ ଏତଲା ଦେଇଥିଲେ । ଏ ନେଇ ଖମାର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାର ବିଚାର ଅନୁଗୁଳ ଅନୁଗୁଳ ଅତିରିକ୍ତ ଜିଲ୍ଲା ଜୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ଚାଲିଥିଲା । ବିଚାରପତି ସୌମ୍ୟା ଶୁଭଦର୍ଶନୀ ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ତାକୁ ଅତିରିକ୍ତ ୧ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆଦେଶ ମଧ୍ୟ ରହିଛି । ଏହା ସହିତ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ବତନ୍ତ୍ର ପିପି ସରୋଜ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।