ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରୁ ବାଦ ପଡିବା ଘଟଣା – ଧିକାର ସଭା ସହ ସାମ୍ୱାଦିକଙ୍କ ବିକ୍ଷୋଭ

ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରୁ ବାଦ ପଡିବା ଘଟଣା – ଧିକାର ସଭା ସହ ସାମ୍ୱାଦିକଙ୍କ ବିକ୍ଷୋଭ

ଅନୁଗୁଳ – ସରକାର ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ପ୍ରତି ବର୍ଷ ହଜାର ହଜାର ଲୋକଙ୍କୁ ସାମିଲ କରୁଥିବା ବେଳେ ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ପ୍ରତି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା କାର୍ଡ଼ର ବ୍ୟବସ୍ଥା କରୁଥିବା ବେଳେ  ପୂର୍ବବର୍ଷ ତୁଳନାରେ ୧୦୦ରୁ ଉର୍ଦ୍ଧ କାର୍ଯ୍ୟରତ ସାମ୍ୱାଦିକ  ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ଏଭଳି ଲୋକାଭିମୁଖୀ ଯୋଜନାରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଦାୟିତ୍ଵହୀନତା ଯୋଗୁଁ ଅନେକ ସାମ୍ବାଦିକ ବଞ୍ଚିତ ହୋଇଥିବା ଯୋଗୁଁ ସାରା ଜିଲ୍ଲାରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିବାର ସାମ୍ବାଦିକ ମାନେ ପ୍ରତିବାଦ ସହ ଦାବୀ ପତ୍ର ପ୍ରଦାନ କରିଥିଲେ । ତେବେ ଆଜି (ସୋମବାର) ଜିଲ୍ଲା ସଦର ମହକୁମା ସମେତ ବ୍ଲକର ସମସ୍ତ ସାମ୍ବାଦିକ ଏକାଠି ହୋଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ଧିକାର ସଭା କରିଥିଲେ । ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଜୁନ୍ ମାସରେ ସ୍ୱାସ୍ଥ୍ୟବୀମା କାର୍ଡ଼ ପାଇଁ ଜିଲ୍ଲାର ୧୮୬ ଜଣ ସାମ୍ବାଦିକମାନେ ବିଧିବଦ୍ଧ ଭାବେ ଆବେଦନ କରିଥିବା ବେଳେ ଦୀର୍ଘ ଚାରି ମାସ ପରେ ମାତ୍ର ୭୭ ଜଣ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟ ବୀମା ମିଳିଥିବା ଜଣା ପଡିଥିଲା । ଆହୁରି ୧୦୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ଅନ୍ତର୍ଭୁକ୍ତ ହୋଇନଥିବା ନେଇ ଏକ ତାଲିକା ସାମ୍ବାଦିକଙ୍କ ହସ୍ତଗତ ହୋଇଥିଲା । ତେବେ ଅନେକ ବରିଷ୍ଠ କାର୍ଯ୍ୟରତ ସାମ୍ବାଦିକ ଏଥିରୁ ବାଦ୍ ପଡ଼ିଥିବାର ଲକ୍ଷ୍ୟ କରାଯାଇଥିଲା । ଏହା ସହ ନବୀକରଣ ଓ ନୂତନ ଭାବେ ବୀମା ପାଇବା ପାଇଁ ଆବଶ୍ୟକୀୟ କାଗଜପତ୍ର ସହ ଆବେଦନ କରିଥିବା ବେଳେ ସାମ୍ବାଦିକଙ୍କ ନାମ ବୀମାର ଅନ୍ତର୍ଭୁକ୍ତ ନକରି କାହା ଇଙ୍ଗିତରେ ବାଦ୍ ଦିଆଗଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଆଉ ଏହାକୁ ନେଇ ସାମ୍ବାଦିକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାକୁ ବିରୋଧ କରି ଶତାଧିକ ସାମ୍ୱାଦିକ ଆଜି ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ସେଠାରେ ପ୍ରତିବାଦ ସ୍ବରୂପ ଏକ “ଧିକାର ସଭା” କରିବା ସହ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସାମ୍ବାଦିକ ମାନଙ୍କ ଏକ ୫ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୁଃଖବନ୍ଧୁ ମାଝୀଙ୍କ ସ୍ଥାଣୁତା ପାଇଁ ଅଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହି ଥିଲେ ଉକ୍ତ ଘଟଣାକୁ ତୁରନ୍ତ ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କୁ ଦାୟୀତ୍ଵ ପ୍ରଦାନ କରାଯାଇଥିଲା । ପୁନର୍ବାର I&PR ଅଧିକୃତ ସମସ୍ତ ସଂସ୍ଥାଙ୍କୁ ପତ୍ର ମାଧ୍ୟମରେ ସେମାନଙ୍କର ଖବରଦାତା ମାନଙ୍କର ସବିଶେଷ ତଥ୍ୟ ମଗା ଯାଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ଏହାପରେ ଆନ୍ଦୋଳନ ପ୍ରତ୍ୟାହରୁତ ହୋଇଥିଲା

What’s your Reaction?
+1
0
+1
0
+1
0
+1
0
+1
2
+1
1
+1
0

Leave a Reply