ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଅଂଚଳ କୋଇଲା ଖଣି ପାଇଁ ପ୍ରଦୂଷିତ ହୋଇ ବିଶ୍ୱରେ ପ୍ରଦୂଷିତ ସହର ଭାବରେ ପରିଚିତ ହେଲାଣି । ଏପଟେ ଏବେ କୋଇଲା ଖଣିଗୁଡ଼ିକୁ ରାସାୟନିକ ପାଣି ମିଶା ପାଉଁଶରେ ଭର୍ତ୍ତି କରାଯାଉଛି । ଏଥିପାଇଁ ତାଳଚେର ପବନ ପରେ ପାଣି ଓ ମାଟି ପ୍ରଦୂଷିତ ହେବ। ଆଉ ଲୋକମାନେ ଯେଉଁ ଚର୍ମ , କିଡନୀ ଓ ଅନ୍ଯାନ୍ଯ ରୋଗରେ ପଡି ଅକାଳରେ ଜୀବନ ହାରୁଥିଲେ ତାହା ଆହୁରି ବଢି ଯିବ । ତେଣୁ ତାଳଚେର କୋଇଲା ଖଣିରେ ନାଲକୋ ଓ ଏନ୍ଟିପିସିର ପାଉଁଶ ଭର୍ତ୍ତି ବନ୍ଦ ହେଉ ବୋଲି ଦାବି କରିଛନ୍ତି ତାଳଚେର ଅଞ୍ଚଳରୁ ବହୁ ଜନପ୍ରତିନିଧି । ଆଜି ଜିଲ୍ଲାପାଳଙ୍କୁ ଭେଟି ଏନେଇ ଦାବିପତ୍ର ପ୍ରଦାନ କରିବା ସହ ଏହା ବନ୍ଦ ନହେଲେ ଲୋକମାନେ ବାଧ୍ୟ ହୋଇ ଏମ୍ସିଏଲ୍ ସହ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି । ସୁଚନା ଅନୁସାରେ ତାଳଚେରରେ ଏମ୍ସିଏଲ୍ ଏକାଧିକ ଖୋଇଲା ଖଣିରୁ କୋଇଲା ଉତ୍ତୋଳନ କରୁଛି । କୋଇଲା ଉତ୍ତୋଳନ ପରେ ଏହି ଖୋଲାମୁହଁ କୋଇଲା ଖଣିଗୁଡ଼ିକ ଭର୍ତ୍ତି କରିବା ଏମ୍ସିଏଲ୍ ପାଇଁ ଏକ ବଡ଼ ଆହ୍ବାନ ରହିଥିଲା ବେଳେ ଏଗୁଡ଼ିକୁ ପାଉଁଶରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ହୋଇଛି । ଅନୁଗୋଳରେ ଥିବା ନାଲ୍କୋ ଓ ଏନ୍ଟିପିସିର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବାହାରୁଥିବା ପାଉଁଶକୁ ରାସାୟନିକ ପାଣି ମିଶାଇ ଖୋଲାମୁହଁ ଖଣିଗୁଡ଼ିକୁ ଭର୍ତ୍ତି କରାଯାଉଛି । ଏହା ତାଳଚେର ଅଞ୍ଚଳକୁ ଅଧିକ ପ୍ରଦୂଷିତ କରିବ ବୋଲି ଜନପ୍ରତିନିଧିମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ, କୋଇଲା ଖଣି ଓ କଳକାରଖାନା ପାଇଁ ତାଳଚେରର ପ୍ରଦୂଷଣ ଉଦ୍ବେଗଜନକ ସ୍ଥିତିରେ ରହିଛି। ଏଭଳି ସ୍ଥିତିରେ ପାଉଁଶ ପାଣିରେ କୋଇଲା ଖଣିଗୁଡ଼ିକୁ ଭର୍ତ୍ତି କରାଗଲେ ଅବସ୍ଥା ଆହୁରି ବିଗିଡ଼ିବ। ପ୍ରଦୂଷଣ ନିୟନ୍ତ୍ରଣ ବାହାରକୁ ଯିବା ସହ ଲୋକମାନେ କିଡନୀ ରୋଗ, ହୃଦରୋଗ, ଶ୍ବାସଜନିତ ରୋଗ ସହ ବିଭିନ୍ନ ଜଟିଳ ରୋଗରେ ପଡ଼ିବେ । ଏବେ ଏଠାରେ ଲୋକମାନେ ହାରାହାରି ୫୦ ବର୍ଷ ବଞ୍ଚୁଥିଲା ବେଳେ ଏହା ଆହୁରି କମିଯିବ । ତେଣୁ ତୁରନ୍ତ ଖଣିଗୁଡ଼ିକରେ ପାଉଁଶ ଭର୍ତ୍ତି କରିବା ପ୍ରକ୍ରିୟାକୁ ବନ୍ଦ କରାଯାଉ । ନ ହେଲେ ତାଳଚେର ଖୁବ୍ଶୀଘ୍ର ଏକ ମନୁଷ୍ୟକୃତ ବିପର୍ଯ୍ୟୟର ସାମ୍ନା କରିବାର ଆଶଙ୍କା ରହିଛି ବୋଲି ଜନପ୍ରତିନିଧି ଯୁକ୍ତି କରିଛନ୍ତି । ଏହି ବିପର୍ଯ୍ୟୟରୁ ତାଳଚେରକୁ ବଞ୍ଚାଇବା ପାଇଁ ସେମାନେ ଜିଲ୍ଲାପାଳଙ୍କ ସମେତ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଏମ୍ସିଏଲ୍ର ସିଏମ୍ଡିଙ୍କୁ ଅନୁରୋଧ କରିଛନ୍ତି । ଏହି ପାଉଁଶ ଭର୍ତ୍ତି ବନ୍ଦ କରାନଗଲେ ଆଗାମୀ ଦିନରେ କୌଣସି କାମରେ ଏମ୍ସିଏଲ୍କୁ ସହଯୋଗ କରାଯିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
.