ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଲୁଟେରାଙ୍କ ଦୌରାତ୍ମ କମିବାରେ ନାଁ ନେଉ ନାହିଁ l ଗତ କିଛି ଦିନ ତଳେ ଏକ ମଦ ଦୋକାନ ଓ ପରେ ପରେ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଓ ଖଣ୍ଡା ମୁନରେ ଲୁଟ ପରେ ଆଜି ପୁଣି ଜଣେ ଜନସେବା କେନ୍ଦ୍ରର ମାଲିକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ପରେ କଟୁରୀରେ ହାଣି ଲୁଟିନେଲେ ୪୯ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଛନ୍ତି l
ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କମ୍ପସଲା ଜନସେବା କେନ୍ଦ୍ର ମାଲିକଙ୍କ ଠାରୁ ବନ୍ଧୁକ ଦେଖାଇ କଟୁରୀରେ ହାଣି ୪୯ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l କମ୍ପସଲା ଜଙ୍ଗଲ ମୌଜାର ଜିତେନ୍ଦ୍ର ସାହୁ ନିଜର ଜନସେବା କେନ୍ଦ୍ରକୁ ବନ୍ଦ କରି ଘରକୁ ଫେରୁଥିବା ବେଳେ କେନ୍ଦୁପଶି ତାଳବୁରି ନିକଟରେ ଦୁଇ ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ଅଟକାଇ ଟଙ୍କା ବ୍ୟାଗ ମାଗିଥିଲେ l ଜିତେନ୍ଦ୍ର ନ ଦେବାରୁ ତାଙ୍କ ଗୋଡ଼କୁ ହାଣି ଟଙ୍କା, ଲାପଟପ ଓ ମୋବାଇଲ ଥିବା ବ୍ୟାଗକୁ ଛଡାଇ ନେଇ ପଳାଇ ଯାଇଥିଲେ l ସେଠାରୁ କିଛି ଦୂରରେ ଲାପଟପ ଓ ମୋବାଇଲକୁ ଫିଙ୍ଗି ଦେଇ ଦୁର୍ବୁତ୍ତ ମାନେ ୪୯ ହଜାର ୯୫୦ଟଙ୍କା ନେଇ ପଳାଇ ଯାଇଥିଲେ l ଖବର ପାଇ ପରିବାର ଲୋକ ଜିତେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଚିକିତ୍ସା ପରେ ଜିତେନ୍ଦ୍ର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗକୁ ଆଧାର କରି ପୁଲିସ ଘଟଣାର ଛାନ ଭିନ ଚଳାଇଛି l