କର୍ମଚାରୀ ଅଭାବରୁ ପଡ଼ିରହିଲା ସଂକ୍ରମିତଙ୍କ ଶବ – ବୋହିଲେ ଛାତ୍ର ବିଜେଡି କର୍ମକର୍ତ୍ତା

କର୍ମଚାରୀ ଅଭାବରୁ ପଡ଼ିରହିଲା ସଂକ୍ରମିତଙ୍କ ଶବ – ବୋହିଲେ ଛାତ୍ର ବିଜେଡି କର୍ମକର୍ତ୍ତା

ତାଳଚେର – ଜୀବନ ନେବାରେ ଲାଗିଛି ମହାମାରୀ । ଅକାଳରେ ଝଡ଼ିପଡୁଛି ବହୁ ମୂଲ୍ୟବାନ ଜୀବନ। ଅନେକ ପରିବାରକୁ ଛାରଖାର କରିଦେଉଛି ଅଦୃଶ୍ୟ ଭୂତାଣୁ । ଏପରି କି ଶବକୁ ଶେଷ ସମ୍ମାନ ଟିକେ ବି ମିଳୁନି । ପ୍ରଶାସନ ମଧ୍ୟ ଅସହାୟ ହୋଇପଡ଼ିଲାଣି । କରୋନା କବଳିତ ଶବକୁ ପରିବାର ଲୋକ ମଧ୍ୟ ଛୁଉଁନାହାଁନ୍ତି । ଏଭଳି ପରିସ୍ଥିତିରେ ଆଗକୁ ବାହାରିଛି ଛାତ୍ର ବିଜେଡି । ମହାମାରୀ ସମ୍ପର୍କରେ ଲୋକଙ୍କୁ ସଚେତନ କରେଇବା ସହ ସଂକ୍ରମିତଙ୍କ ଶବ ମଧ୍ୟ ବୋହୁଛନ୍ତି ଛାତ୍ର ବିଜେଡି କର୍ମକର୍ତ୍ତା ।

ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଆଦର୍ଶ କୋଭିଡ କେୟାରରେ ବୁଧବାର ଦୁଇ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା । ସଂକ୍ରମିତଙ୍କ ଶବକୁ ସତ୍କାର ନିମନ୍ତେ ନେବାକୁ ଆମ୍ବୁଲାନସ ମଧ୍ୟ ପହଞ୍ଚିଥିଲା । ହେଲେ ଶବକୁ ନେଇ ଆମ୍ବୁଲାନ୍ସରେ ରଖିବାକୁ କର୍ମଚାରୀ ନଥିଲେ । ଚାଳକଙ୍କ ପାଖରେ ଅନ୍ୟ କେହି ନଥିବା କିମ୍ବା କୌଣସି ସହଯୋଗ ନ ମିଳିବାରୁ ଆମ୍ବୁଲାନସ ଫେରି ଯାଇଥିଲା । ଯାହା ଫଳରେ ଶବ ଦୀର୍ଘ ସମୟ ଧରି ପଡ଼ିରହିଲା । ଏହି ଖବର ପହଞ୍ଚି ଯାଇଥିଲା ତାଳଚେର ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କ ପାଖରେ । ସଙ୍ଗେ ସଙ୍ଗେ ତୟାର ହୋଇ ଯାଇଥିଲେ ଯୁବଗୋଷ୍ଠୀ । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧନଙ୍କ ତତ୍ବାବଧାନରେ ରାଜେଶ ଦାସ , ଅମିତ ସାହୁ ଓ ଜୟକୃଷ୍ଣ ସାହୁ ଆଉ ପିପିଇ କିଟ ପିନ୍ଧି ବାହାରି ପଡିଥିଲେ ଶବ ସତ୍କାର ପାଇଁ । ହେଲେ କୋଭିଡ ନିୟମ ଯୋଗୁଁ ଶବ ସତ୍କାର କରିବାକୁ ପ୍ରଶାସନ ଅନୁମତି ଦେଇନଥିଲା । କେବଳ ଶବକୁ ବୋହି ଆମ୍ବୁଲାନ୍ସରେ ରଖିବାକୁ କୁହାଯାଇଥିଲା । ଛାତ୍ର ବିଜେଡି କର୍ମକର୍ତ୍ତା ଶବ ଦୁଇଟିକୁ ନେଇ ଆମ୍ବୁଲାନ୍ସରେ ରଖିବା ପରେ ତାହା ସତ୍କାର ପାଇଁ ଯାଇଥିଲା । ଛାତ୍ର ବିଜେଡିର ଏଭଳି ମହନୀୟତାକୁ ତାଳଚେରବାସୀ ପ୍ରଶଂସା କରିବା ସହ ତାଳଚେର ପ୍ରଶାସନର ଅପାରଗତାକୁ ନିନ୍ଦା କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply