ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଁକୁ ଆମ୍ବୁଲାନ୍ସ ଯାଇ ପାରି ନଥିବା ବେଳେ ଗାଁ ମୁଣ୍ଡରେ ଅଟକି ଥିବା ଆମ୍ବୁଲାନ୍ସ ପାଖକୁ ଆସୁ ଜଣେ ରୋଗୀର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ତୁକୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଉଳଖମଣ ଗାଁର କେଶବ ମାହାରଙ୍କ ପୁଅ ଅମର ମାହାରଙ୍କ ଆଜି ଅପରାହ୍ନ ସମୟରେ ବହୁ ଜୋରରେ ପେଟ କାଟିଥିଲା । ଏଥିପାଇଁ ପରିବାର ପକ୍ଷରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଅଳ୍ପ ସମୟ ମଧ୍ୟରେ ଆମ୍ବୁଲାନ୍ସ ଆସିଥିଲା ମଧ୍ୟ । ହେଲେ ଦେଉଳଖମଣକୁ ଅପନ୍ତରିଆ ରାସ୍ତା ଥିବାରୁ ଆମ୍ବୁଲାନ୍ସଟି ଅଧାବାଟରେ ଅଟକି ଥିଲା । ଅମରଙ୍କ ସମ୍ପର୍କୀୟ ତାଙ୍କୁ ମୋଟରସାଇକେଲ ଯୋଗେ ଆମ୍ବୁଲାନ୍ସ ପାଖକୁ ଆଣିବାକୁ ଚେଷ୍ଟା କରିଥିଲେ । ତେବେ ମୋଟରସାଇକେଲରେ ଆଣୁଥିବା ସମୟରେ ଅଧାବାଟରେ ଅମରଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହି ଘଟଣା ପରେ ଗାଁ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂର୍ବରୁ ସ୍ଥାନୀୟ ବାସିନ୍ଦା ସ୍ଥାୟୀ ରାସ୍ତା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ହୁଏତ ଗାଁ ଭିତରକୁ ଆମ୍ବୁଲାନ୍ସ ପହଞ୍ଚି ପାରିଥିଲେ ତାଙ୍କ ଅମୂଲ୍ୟ ଜୀବନ ବଞ୍ଚି ପାରିଥାନ୍ତା । ପରବର୍ତ୍ତୀ ସମୟରେ ଯେପରି ଦେଉଳଖମଣକୁ ଅନ୍ତତଃ ପକ୍ଷେ ଆମ୍ବୁଲାନ୍ସ ଯାଇପାରିଲେ ସ୍ଥାନୀୟ ବାସିନ୍ଦା ଉପକୃତ ହେବେ ବୋଲି ଅନୁରୋଧ କରିଛନ୍ତି ।
What’s your Reaction?
+1
+1
+1
+1
+1
+1
+1