ତାଳଚେର – ଯେଉଁଠାରୁ ରାଜ୍ୟ ତଥା ରାଜ୍ୟ ସାରା ବିଦ୍ୟୁତ ସଞ୍ଚରି ଯାଉଥିଲା ସେହିଠାରୁ ଆଜି ବିଦ୍ୟୁତ ଉତ୍ପାଦନ ଠପ ହୋଇ ଯାଇଛି । ମାର୍ଚ୍ଚ ୩୧ ତାରିଖ ଯାଏ ପରିବେଶ ମଞ୍ଜୁରୀ ଥିବା ବେଳେ ପ୍ଳାଣ୍ଟ ବନ୍ଦ ହୋଇ ଯିବ ବୋଲି ଯେଉଁ ଆଶଙ୍କା କରା ଯାଉଥିଲା ତାହା ଆଜି ସତ ହୋଇଛି । ଆଜିଠାରୁ ଏହି ପ୍ଳାଣ୍ଟ ଚାଲିବ ନାହିଁ ବୋଲି ଜଣା ପଡିଛି । ଦୀର୍ଘ ୫୪ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ତାଳଚେର ଥର୍ମାଲ ପାୱାର ଷ୍ଟେସନ ରାଜ୍ୟବାସୀଙ୍କୁ କ୍ରମାଗତ ଭାବେ ବିଜୁଳି ପ୍ରଦାନ କରି ସୁନାମ ଅର୍ଜନ କରିଥିଲା । ହେଲେ ଆଜି ପ୍ଲାଣ୍ଟର ସମସ୍ତ ୬ ଟି ୟୁନିଟକୁ ବନ୍ଦ କରିଦିଆ ଯାଇଛି । ଫଳରେ ବିଦ୍ୟୁତ ଉତ୍ପାଦନ ସମ୍ପୁର୍ଣ୍ଣ ଠପ ହୋଇ ଯାଇଛି । ୪୬୦ ମେଗାୱାଟ ବିଶିଷ୍ଟ ଏହି ପାୱାର ପ୍ଲାଣ୍ଟ ବନ୍ଦ ହେବା ଦ୍ୱାରା ବିଦ୍ୟୁତ ଯୋଗାଣ ମଧ୍ୟ ବନ୍ଦ ହୋଇ ଯାଇଛି । ଟିଟିପିଏସ୍କୁ ନେଇ ଲାଗି ରହିଥିବା ନାନା କଳ୍ପନାଜଳ୍ପନାର ଏକ ପ୍ରକାର ଅନ୍ତଃ ଘଟାଇଛନ୍ତି ଏନ୍ଟିପିସି କର୍ତ୍ତୃପକ୍ଷ । ପୂର୍ବ ନିର୍ଦ୍ଧାରିତ ତାରିଖ ୩୧ ରୁ ୫୪ ବର୍ଷର ଏହି ପୁରୁଣା ତାପଜ ବିଦ୍ୟୁତ୍ କେନ୍ଦ୍ରର ୟୁନିଟ୍ ଗୁଡ଼ିକୁ ବିଧିବଦ୍ଧ ଭାବେ ବନ୍ଦ କରାଯିବ ବୋଲି କମ୍ପାନୀ ନିଷ୍ପତ୍ତି ନେଇଛି । ଏ ନେଇ ଏନ୍ଟିପିସି ସେକ୍ରେଟାରୀ ନନ୍ଦିନୀ ସରକାର କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଟିଟିପିଏସ୍ କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଜଣାଇ ଦେଇଛନ୍ତି । ତେବେ ଟିଟିପିଏସ୍ରେ ଷ୍ଟେଜ-୩ ୟୁନିଟ୍ ସ୍ଥାପନ ସମ୍ପର୍କରେ ଏନ୍ଟିପିସି କର୍ତ୍ତୃପକ୍ଷ କିଛି ଉଲ୍ଲେଖ କରି ନ ଥିବା ସୂଚନା ମିଳିଛି । ଆଉ ଆଜି ସକାଳୁ ପ୍ଲାଣ୍ଟର ସମସ୍ତ ୟୁନିଟ ବନ୍ଦ କରାଯାଇଥିବା ଦେଖା ଯାଇଛି । ଏହି ପ୍ଲାଣ୍ଟକୁ ଏଭଳି ବନ୍ଦ କରି ଦିଆଯିବା ଫଳରେ ୧୪୦୦ ଠିକା କର୍ମଚାରୀଙ୍କ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାଵରେ ୫୦ ହଜାରରୁ ଉର୍ଦ୍ଧ୍ଵ ଲୋକ ପ୍ରଭାବିତ ହେବେ । ବିଭିନ୍ନ ଶ୍ରମିକ ସଂଗଠନଙ୍କ କହିବା ଅନୁଯାୟୀ ଏହାର ବଡ଼ ଧରଣର ପ୍ରଭାବ ସାରା ଓଡ଼ିଶାରେ ପଡିବ । ଆଉ ଏହାକୁ ନେଇ ଏବେ ଦେଖା ଦେଇଛି ଅସନ୍ତୋଷ ଓ ବିରୋଧର ସ୍ଵର । ସେପଟେ ଏହି ପ୍ରସଙ୍ଗ ନେଇ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଗୃହରେ ଉଠେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ଏହି ପ୍ଲାଣ୍ଟକୁ ଚାଲୁ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଥିଲେ । ଅନ୍ୟପଟେ ଅନୁଗୁଳ ତାଳଚେରରେ ଥର୍ମାଲ ପ୍ଲାଣ୍ଟର ନୂଆ ୟୁନିଟ ପ୍ରତିଷ୍ଠା ନେଇ ନୀତିଗତ ନିଷ୍ପତ୍ତି ହୋଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ , ଗ୍ରୀଡକୋ , ଏନଟିପିସି , ଶକ୍ତି ବିଭାଗମାନଙ୍କ ମଧ୍ୟରେ ବୈଠକ ହେବ । ଯୋଜନାକୁ ତ୍ୱରାନ୍ୱିତ ପାଇଁ ସରକାର ସମସ୍ତ ସହଯୋଗ ଯୋଗାଇବେ । ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟାର ଆଶୁ ସମାଧାନ ପାଇଁ ପଦକ୍ଷେପ ନିଆଯିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜାତୀୟ ତାପଜ ବିଦ୍ୟୁତ ନିଗମର ଅଧ୍ୟକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଶିଳ୍ପାୟନ ଦ୍ୱାରା ନୂଆ ନିଯୁକ୍ତ ସୃଷ୍ଟି ନେଇ ସୁରେଶ ଆଲୋଚନା କରିଛନ୍ତି । ଏହି ମିଳିତ କାର୍ଯ୍ୟଯୋଜନା ତ୍ଵରାନ୍ଵିତ କାର୍ଯ୍ୟାନ୍ଵୟନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।
What’s your Reaction?
+1
+1
+1
+1
+1
+1
+1