ଅନୁଗୁଳ – ଗୁରୁବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବା ସହ ଟାଙ୍ଗିଆନିଶା ଠାରେ ଏହାର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଠମଲ୍ଲିକ ଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ ଅସ୍ଥାୟୀ ଶ୍ରେଣୀ ଗୃହର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଆଠମଲ୍ଲିକ ବ୍ଲକ ପାଇଁ ବିଭିନ୍ନ ରାସ୍ତା, ପୋଲ ଆଦି ୧୦୯କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଆଠମଲ୍ଲିକ ଉପାଖଣ୍ଡରେ କେନ୍ଦ୍ରିୟ ବିଦ୍ୟାଳୟ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା । ତେଣୁ ଆଠମଲ୍ଲିକବାସୀଙ୍କ ସେହି ଆଶା ପୂରଣ ହୋଇ ପାରିଛି । କେନ୍ଦ୍ର ସରକାରଙ୍କ ୩୦କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟ ନୂତନ ଗୃହ ନିର୍ମାଣ କରାଯିବ । ବର୍ତମାନ ଅସ୍ଥାୟୀ ଶ୍ରେଣୀ ଗୃହରେ ଚଳିତ ବର୍ଷ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୪୦ ଛାତ୍ରଛାତ୍ରୀ ସେମାନଙ୍କ ନାମ ଲେଖାଇ ପାରିବେ। ପ୍ରତି ବର୍ଷ ଏହା ବର୍ଦ୍ଧିତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଏମପି ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ନଳିନୀ ପ୍ରଧାନ, ଜିଲାପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଜିଲ୍ଲାପାଳ ଏମ.ଅଖତାରଙ୍କ ସମେତ କେନ୍ଦ୍ରୀୟ ବିଦ୍ୟାଳୟର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଞ୍ଚଳର ଶତାଧିକ ଲୋକଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିଥିଲେ।
ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଠମଲ୍ଲିକରେ ରାଜ୍ୟ ସରକାରଙ୍କ ତରଫରୁ ପାଖାପାଖି ୧୦୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ ହୋଇଛି । ଟାଙ୍ଗିଆନିଶା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ, ଆଠମଲ୍ଲିକ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରାୟ ୩୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଠାରେ ବହୁତ ଦିନରୁ କେନ୍ଦ୍ରୀୟ ବିଦ୍ୟାଳୟ କରିବା ପାଇଁ ଗୁରୁଜନ, ବୁଦ୍ଧିଜୀବୀ ଏବଂ ଯୁବସମାଜର ଅପେକ୍ଷା ରହିଥିଲା । ଆଜି ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରାୟ ୧୩୯ କୋଟି ଟଙ୍କାର ପ୍ରକଳ୍ପ ଆଠମଲ୍ଲିକରେ ଶିକ୍ଷା ଓ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ କରିବ । ଏହି ବିଦ୍ୟାଳୟ ଦ୍ୱାରା ସ୍ଥାନୀୟ ଅଞ୍ଚଳର ପିଲାମାନେ ବିଶେଷ ଉପକୃତ ହେବେ । ଏହାର ଏବେ ଅସ୍ଥାୟୀ କ୍ୟାମ୍ପସରେ ଚଳିତ ଶିକ୍ଷା ବର୍ଷ ଠାରୁ ଶିଶୁବଟିକା ଆରମ୍ଭ ସହ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ ଜଣରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯିବ ।