ଇକୋପାର୍କରେ ହେବ ମ୍ୟୁଜିକାଲ ଫାଉଣ୍ଟନ – ଅକ୍ଷୟ ସାମନ୍ତ

 
ଅନୁଗୋଳ – ଅନୁଗୋଳ ପୌରପାଳିକାର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ଏହା ଭିତରେ ପ୍ରଥମେ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆ ଯାଇଥିବା ବେଳେ ପିଇବା ପାଣି , ଆଲୋକୀକରଣ ଓ ସୌନ୍ଦର୍ଯ୍ୟକରଣକୁ ମଧ୍ୟ ଗୁରୁତର ସହ ନେଇ ପୌର ପାଳିକା କାମ କରୁଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତ କହିଛନ୍ତି । ନିର୍ବାଚନ ଜିତିବାର ପ୍ରାୟ ଏକ ବର୍ଷ ତିନି ମାସ ବିତି ଯାଇଛି । ଏହି ସମୟ ମଧ୍ୟରେ ଅନୁଗୋଳ ପୌରପାଳିକା ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛି । ଏଥିପାଇଁ ଡ୍ରେନେଜ ନିର୍ମାଣ ଠାରୁ ଆରମ୍ଭ କରି ସଫେଇ କର୍ମଚାରୀଙ୍କ ସଂଖ୍ୟା ବଢା ଯାଇଛି । ଏହା ସହ ଅତ୍ୟାଧୁନିକ ମେସିନର ମଧ୍ୟ ସହାୟତା ନିଆ ଯାଉଛି ବୋଲି ପୌରାଧ୍ୟକ୍ଷ କହିଥିଲେ । ଘରେ ଘରେ ପିଇବା ପାଣି ପହଞ୍ଚାଇବା ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି । ସହରର ପ୍ରାୟ ୯୦% ଘରେ ଏହି ପିଇବା ପାଣି ପହଞ୍ଚି ସାରିଛି । ସହରର ଗଳି କନ୍ଦି ସବୁ ଜାଗାରେ ଆଲୋକୀକରଣ କରାଯାଇଛି । ସହରର ସୌନ୍ଦର୍ଯ୍ୟ ପାଇଁ ଅନେକ କାମ ହାତକୁ ନିଆ ଯାଇଥିବା ବେଳେ ନୂତନ ବସଷ୍ଟାଣ୍ଡ ଠାରେ ଏକ ଭିନ୍ନ ଧରଣର ପାର୍କ ନିର୍ମାଣ ହେଉଛି । ଯାହାକି ଲୋକଙ୍କୁ ବେଶ ଆମୋଦ ଦେବ । ଏହା ସହ ମୁକ୍ତା ଯୋଜନାରେ ଛୋଟ ଛୋଟ ପାର୍କ ଓ ଜିମ କରାଯାଇଛି । ସବୁଠାରୁ ବଡ଼ ଇକୋ ପାର୍କରେ ଖୁବ ଶୀଘ୍ର ମ୍ୟୁଜିକାଲ ଫାଉଣ୍ଟନର ବ୍ୟବସ୍ଥା କରାଯିବ । ୬୦ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହେବାକୁ ଥିବା ଏହି ମ୍ୟୁଜିକାଲ ଫାଉଣ୍ଟନ ଇକୋ ପାର୍କର ଶୋଭା ଆହୁରି ବଢ଼ାଇବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହା ସହ ଇକୋ ପାର୍କର ଉନ୍ନତିକରଣ ମଧ୍ୟ କରାଯିବା ସହ ସହରର ହଳଦିଆ ବନ୍ଧ , କିଆ ବନ୍ଧ ଓ ଧୋବାସାହି ବନ୍ଧର ମଧ୍ୟ ଉନ୍ନତିକରଣ କରାଯିବ । ଗତ ସପ୍ତାହରେ 5T ସଚିବ ଭିକେ ପାଣ୍ଡିୟାନ ଅନୁଗୋଳ ଗସ୍ତରେ ଆସିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୨୦୨୩-୨୪ ବର୍ଷ ପାଇଁ ପୌରପାଳିକାକୁ ୧୪ ଟି ପ୍ରକଳ୍ପ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ୭୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ 5T ସଚିବ ଭିକେ ପାଣ୍ଡିୟାନଙ୍କୁ ପୌରାଧ୍ୟକ୍ଷ ଧନ୍ୟବାଦ ଦେଇଥିଲେ ।

 

What’s your Reaction?
+1
0
+1
0
+1
0
+1
0
+1
6
+1
0
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored