କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ମସୁଣିହତା ଗ୍ରାମରେ ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଛି । ମୃତକ ହେଲେ ମସୁଣିହତା ଗ୍ରାମର ୨୫ ବର୍ଷୀୟ ବାବାଜୀ ନାଏକ । କଣିହାଁ କାକୁଡ଼ିଆ ଗ୍ରାମର ବିଭୂତି ନାଏକ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ , କାକୁଡ଼ିଆ ଗ୍ରାମର ବିଭୂତି ନାଏକର ସ୍ତ୍ରୀକୁ ସାତ ମାସ ତଳେ ବାବାଜୀ ନାଏକ ପ୍ରେମ କରି ବିବାହ କରିଥିଲେ । ନିଜ ସ୍ତ୍ରୀକୁ ବିଭୁତିଠାରୁ ନେଇଯିବା ଦିନଠାରୁ ବାବାଜୀଙ୍କୁ ହତ୍ୟା କରିବାକୁ ବିଭୁତି ଧମକ ଦେଇ ଆସୁଥିଲା ।
ଶନିବାର ବିଳମ୍ୱିତ ରାତି ପ୍ରାୟ ୨ଟା ବେଳେ ଘର ବାରଣ୍ଡାରେ ବାବାଜୀ ଶୋଇଥିଲେ । ତାଙ୍କୁ ଶୋଇଥିବାର ଦେଖି ବିଭୂତି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ଦେଇଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ଶନିବାର ବିଳମ୍ବିତ ରାତିରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା । କଣିହାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଥିବାବେଳେ ରବିବାର ସକାଳୁ ଅଭିଯୁକ୍ତକୁ କାକୁଡ଼ିଆ ଗାଁରୁ ଗିରଫ କରିଥିଲା । ଅଭିଯୁକ୍ତକୁ ଜେରା କରି ଘଟଣାର ତଦନ୍ତ ଚଳାଇଛି ପୁଲିସ।