ପୁଲିସ ଫାୟାରିଂ ରେଞ୍ଜରୁ ଗୁଳି ଗାଁରେ – ଲୋକେ ଆତଙ୍କିତ

ପୁଲିସ ଫାୟାରିଂ ରେଞ୍ଜରୁ ଗୁଳି ଗାଁରେ – ଲୋକେ ଆତଙ୍କିତ

ଅନୁଗୋଳ – ଅନୁଗୋଳ ସରଧାପୁର ଗାଁ ଜଙ୍ଗଲରେ ଥିବା ପୁଲିସ ଫାୟାରିଂ ରେଞ୍ଜର ଗୁଳି ଶନିବାର ସକାଳେ ଗାଁରେ ପହଞ୍ଚିଛି । ସୂଚନା ଅନୁସାରେ, ସକାଳେ ଗାଁର ସୁବାସ ସାହୁ ଛାତ ଉପରେ ସିମେଣ୍ଟ କାମ କରୁଥିଲେ । ହଠାତ ତାଙ୍କ ଜଙ୍ଘରେ କିଛି ଗରମ ଲୁହା ବାଜିଥିଲା । ସୁବାସ ଚମକି ଦେଖିବା ବେଳକୁ ଏହା ଏକ ବନ୍ଧୁକର ଗୁଳି ଥିଲା । ଏହି ଖବର ଗାଁରେ ପ୍ରଚାର ପରେ ଗାଁ ଲୋକ ଭୟଭୀତ ହୋଇ ପଡ଼ିଥିଲେ । ପ୍ରକାଶ ଯେ, ଗତ ୨୦୧୯-୨୦ ମସିହାରେ ଏଭଳି ଗୁଳି ଜଣେ ବୃଦ୍ଧାଙ୍କ ଛାତିରେ ବାଜିବା ଫଳରେ ସେ ଗୁରୁତର ହୋଇଥିଲେ । ତେବେ ଆଜି ପୁଣି ଏଭଳି ଗୁଳି ପଡିବା ପରେ ଗାଁ ଲୋକ ଭୟଭୀତ ହୋଇ ପଡିଛନ୍ତି । ସୂଚନା ଅନୁସାରେ ସରଧାପୁର ଫାୟାରିଂ ରେଞ୍ଜରେ ଗତ ୩ଦିନ ଧରି ଗୁଳି ଚାଳନା ଅଭ୍ୟାସ ଚାଲିଛି । ଶନିବାର ଏକ ଗୁଳି ଯାଇ ସୁବାସ ସାହୁଙ୍କ ଜଙ୍ଘରେ ବାଜିଥିଲା । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖବର ପାଇ ସଦର ଥାନା ପୁଲିସ ସୁବାଷଙ୍କ ନିକଟରେ ପହଞ୍ଚି ତଦନ୍ତ ଆରମ୍ଭକରି ଗୁଳିକୁ ଜବତ କରିଛି । ବାରମ୍ବାର ଅନୁରୋଧ ପରେ ମଧ୍ୟ ପୁଲିସ ପ୍ରଶାସନ କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁ ନିକଟରେ ଥିବା ଏହି ଫାୟାରିଂ ରେଞ୍ଜକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି କରାଯାଇଛି । ଏ ନେଇ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରୀଜେଶ ରାୟଙ୍କୁ ଯୋଗାଯୋଗ କରାଯିବାରୁ ସେ ପ୍ରକାଶ କରିଥିଲେ ଯେ, ସେଠାରେ ଦୀର୍ଘ ୬୦/୭୦ ବର୍ଷ ଧରି ଫାୟାରିଂ ରେଞ୍ଜ ରହିଛି । ସେଠାରେ କେବଳ ଛୋଟ ଅସ୍ତ୍ରରୁ ଫାୟାରିଂ ହୁଏ । ସେଥିରୁ ଏତେ ଦୁରକୁ ଗୁଳି ଯିବାକଥା ନୁହଁ । ତେବେ ଅଭିଯୋଗ ହୋଇଥିବାରୁ ଏହାର ତଦନ୍ତ ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ପଠାଯିବ ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply