ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ମହିତଳା ଛକ ନିକଟରେ ଟ୍ରକ୍ ତଳେ ଚାପି ହୋଇ ୨ଜଣ ମୋଟରସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ୨ ଜଣ ହେଲେ କଣିହାଁ ଥାନା ଦଣ୍ଡସିଂହା ଗାଁର ବୁଲୁ ପରିଡ଼ା ଏବଂ ଅନ୍ୟ ଜଣେ ନତଡା ଗାଁର ବୀରେନ୍ଦ୍ର ସାହୁ ବୋଲି ଜଣା ପଡ଼ିଛି । ଦୁର୍ଘଟଣା ପରେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହିତ ତୀବ୍ର ଉତ୍ତେଜନ ଦେଖା ଦେଇଥିଲା । ଯାହା ଫଳରେ ଦୀର୍ଘ ୧୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ମୃତଦେହ ରାସ୍ତା ଉପରେ ପଡି ରହିଥିଲା ।

ସୂଚନା ଅନୁସାରେ, ବୀରେନ୍ଦ୍ର ଓ ବୁଲୁ ଉଭୟ ଏକ ମୋଟରସାଇକେଲ ଯୋଗେ ଘରୁ ଡ୍ୟୁଟି କରିବା ପାଇଁ ସ୍ଥାନୀୟ ଷ୍ଟିଲ ପ୍ଲାଣ୍ଟକୁ ଯାଉଥିଲେ । ମହୀତଳା ଛକ ଠାରେ ଏକ କୋଇଲା ବୋଝେଇ ଟ୍ରକ ସକାଳ ୫ଟା ବେଳେ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ଟ୍ରକ ଚକ ତଳେ ପଡି ଯାଇଥିଲେ । ଘଟଣାସ୍ଥଳରେ ବୁଲୁ ପରିଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନା ନେବା ବାଟରେ ବୀରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ଓ ମୃତକଙ୍କ ସମ୍ପର୍କୀୟ ମାନେ ରାସ୍ତା ଅବରୋଧ କରିଥିଲେ । ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତେଜନା ଲାଗି ରହିଥିଲା ।
ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଘଟଣା ସ୍ଥଳରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଏହା ସହ ତାଳଚେର ବିଧାୟକ କ୍ଷତିପୂରଣ ଅର୍ଥ ରାଶି ପ୍ରଦାନ କରିବା ପାଇଁ ଷ୍ଟିଲ କମ୍ପାନୀକୁ କହିଥିଲେ । ଦୀର୍ଘ ୧୨ ଘଣ୍ଟାର ଅପେକ୍ଷା ପରେ କମ୍ପାନୀ କର୍ତ୍ତୃପକ୍ଷ ମୃତକ ପରିବାର ବର୍ଗଙ୍କୁ ୧୫୦୦୦୦୦/-(ପନ୍ଦର ଲକ୍ଷ ଟଙ୍କା) ଲେଖାଏଁ ଅର୍ଥ ରାଶି ଉଭୟ ପରିବାର ବର୍ଗଙ୍କୁ ପ୍ରଦାନ କରିଥିଲେ । ଏହା ସହ ସମସ୍ତ ଆଇନଗତ କାଗଜ ପତ୍ର ପ୍ରଦାନ କରିବା ପରେ ଅନ୍ୟାନ୍ୟ କ୍ଷତିପୂରଣ ପ୍ରଦାନ କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଲିଖିତ ପ୍ରତିଶୃତି ଦେଇଥିଲେ ଓ ପରିବାରର ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ନିଷ୍ପତି ନେଇଥିଲେ।

ଅପରାହ୍ନ ସାଢେ ୬ଟା ବେଳେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏନେଇ ନିଶା ଶିଳ୍ପାଞ୍ଚଳ ଥାନା କେସ ନଂ ୪୦/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ପ୍ରକାଶ କରିଛନ୍ତି ।

