ଚଳିତ ବର୍ଷ ୪ ଟନ ଓଜନର ଲଡୁ ହେବ ନିଲାମ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ବେଶ୍ ଧୁମଧାମରେ ପାଳିତ ହେଉଛି ଗଣପର୍ବ ଗଣେଶ ପୂଜା । ଯେଉଁଥିପାଇଁ ଚଳଚଞ୍ଚଳ ହୋଇଛି ପୁରା ସହର । ୨୭ ତାରିଖ ଠାରୁ ଆରମ୍ଭ ହୋଇଛି ପୂଜା ୭ ତାରିଖରେ ଭସାଣି ହେବା ନେଇ କମିଟି ପକ୍ଷରୁ ମିଳିଛି ସୂଚନା । ତେବେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶେଷ ଆକର୍ଷଣ ରହିଛି ଗଜାନନଙ୍କ ଆଜ୍ଞା ଲଡୁ ନିଲାମ । ଭସାଣୀର ପୂର୍ବ ଦିନ ଏହି ନିଲାମ ପ୍ରକ୍ରିୟା ହେବାନେଇ ଧାର୍ଯ୍ୟ ହୋଇଛି ।

ଚଳିତ ବର୍ଷ ଏହି ଲଡୁ ୪ ଟନ ଓଜନର ହେବା ନେଇ କମିଟି ସୂଚନା ଦେଇଛି । ତେବେ ଏହି ପରିପ୍ରେକ୍ଷୀରେ ବୁଧବାର ଠାରୁ ତାଳଚେର କିଶୋର କ୍ଲବ୍ ପରିସରରେ ଲଡୁ ତିଆରି କାର୍ଯ୍ୟ ଚାଲିଛି । ୮ ଜଣ ମିସ୍ତ୍ରୀ ଏବଂ ୧୨ ଜଣ ସହଯୋଗୀଙ୍କୁ ନେଇ ଚାଲିଛି ଲଡୁ ତିଆରି କାର୍ଯ୍ୟ । ୧ ଟନ୍ ବେସନ , ୨ ଟନ୍ ଚିନି , ଘିଅ , ରିଫାଇନ ତେଲ , ଡ୍ରାଏ ଫ୍ରୁଟ୍ସ ଇତ୍ୟାଦି ସାମଗ୍ରୀ ବ୍ୟବହାର କରି ହୋଇଥାଏ ଲଡୁ ପ୍ରସ୍ତୁତ । ଆସନ୍ତା କାଲି ଏହି ଲଡୁ ନିଲାମ ହେବାର ସୂଚନା ରହିଛି । ଗତବର୍ଷ ଏହି ଲଡୁ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ନିଲାମ ହୋଇଥିବା ବେଳେ ଚଳିତ ବର୍ଷ କେତେ ଟଙ୍କା ମୂଲ୍ୟରେ ଲଡୁ ନିଲାମ ହେଉଛି ତାହାକୁ ସମସ୍ତେ ପ୍ରତୀକ୍ଷା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *