ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ସାଂଘାତିକ ଅଭିଯୋଗ । ଚିକିତ୍ସା ଅଭାବରୁ ଚାଲିଗଲା ନବଜାତ ଶିଶୁର ଜୀବନ । ଏଭଳି ଅଭିଯୋଗ ଆଣିଛନ୍ତି ଏକ ଶିଶୁର ପରିବାର ।

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ପ୍ରତ୍ୟକ ଦିନ କିଛି ନା କିଛି ଅବ୍ୟବସ୍ଥାର ଅଭିଯୋଗ ରହିଛି । ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । କେବେ ଧାଡ଼ି ଯନ୍ତ୍ରଣା ତ କେବେ ଚିକିତ୍ସାରେ ଅବହେଳା । ଏହି ଭଳି ଘଟଣା ପାଇଁ ଚାଲି ଯାଉଛି କିଛି ନିରୀହ ଜୀବନ। ଏ ପରି ଏକ ଅଭିଯୋଗ ପୁଣି ଥରେ ଆସିଛି । ସୂଚନା ଅନୁସାରେ , ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ଅଞ୍ଚଳର ଶିଶିର ସାହୁଙ୍କ ସ୍ତ୍ରୀ ରିଲି ଦେହୁରୀ ଗର୍ଭବତୀ ରହିଥିଲେ । ରିଲିଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପ୍ରଥମେ ତାଙ୍କୁ ବଇଣ୍ଡା ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରୁ ରିଲିଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗକୁ ଅଣା ଯାଇଥିଲା । ଗତକାଲି ସକାଳ ୭ ଘଟିକା ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତି ହୋଇଥିଲେ ରିଲି । ରିଲିଙ୍କୁ ଡାକ୍ତର ଦେଖିବା ପରେ ଅଲଟ୍ରାସାଉଣ୍ଡ କରିବା ପାଇଁ ୧୦ ଘଟିକା ବେଳେ ଯାଇଥିଲେ । ଦିନ ୨ ଘଟିକା ବେଳେ ସମସ୍ତ ରିପୋର୍ଟ ଆସିଥିଲା । ତା ପରେ ଡାକ୍ତରଙ୍କୁ ରିପୋର୍ଟ ଦେଖାଇଥିଲେ । ରିପୋର୍ଟ୍ ଦେଖିବା ପରେ ପିଲା ଠିକ୍ ଅଛି ବୋଲି ଡାକ୍ତର କହିଥିଲେ । ରିଲିଙ୍କୁ ଆଜି(ଶନିବାର) ସକାଳ ୬ ଘଟିକା ବେଳେ ଖାଇବା ପାଇଁ ସିମେଇ ଏବଂ ପିଈବା ପାଇଁ ପାଣି ଦିଆ ଯାଇଥିଲା । ଗର୍ଭବତୀଙ୍କୁ ଖାଇବା ପାଇଁ ଦେଇଥିବାରୁ ଅପରାହ୍ନ ୫ ଘଟିକା ବେଳେ ଅପରେସନ ହେବ ବୋଲି ଚିକିତ୍ସାଳୟ କତୃପକ୍ଷ କହିଥିଲେ । କିନ୍ତୁ ସନ୍ଧ୍ଯା ୭.୩୦ ପର୍ଯ୍ୟନ୍ତ ଅପରେସନ କରିଲେ ନାହିଁ । ତା ପରେ ଅପରେସନ କରାଯାଇଥିଲା । କିନ୍ତୁ ସେତେ ବେଳକୁ ରିଲିଙ୍କର ମୃତ ଶିଶୁ ଜନ୍ମ ହୋଇଥିଲା । ଏ ଘଟଣା କୁ ଦେଖି ପରିବାର ଲୋକେ ଚିକିତ୍ସା ଅଭାବରୁ ଏ ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି । ସବୁ ଠାରୁ ବଡ଼ କଥା ହେଉଛି ରିଲି ଗର୍ଭବତୀ ଅବସ୍ଥାରେ ଥିବା ବେଳେ ତାଙ୍କୁ ସିଡିରେ ବରମ୍ବାର ଟେଷ୍ଟ ପାଇଁ ପଠାଇବା କେତେ ଦୂର ଠିକ୍ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସିଡିରେ ବାରମ୍ବାର ଯିବା ଆସିବା କରିବାରୁ ରିଲିଙ୍କର ରକ୍ତଶ୍ରାବ ହୋଇଥିଲା । କିନ୍ତୁ ଅପରେସନ ବେଳକୁ ରିଲି ଙ୍କର ମୃତ୍ୟୁ ପିଲା ଜନ୍ମ ହେଲା । ଯାହାକୁ ନେଇ ରିଲିଙ୍କ ପରିବାର ଚିକିତ୍ସାଳୟ କତୃପକ୍ଷଙ୍କ ଅବହେଳା ପାଇଁ ଏ ଘଟଣା ଘଟିଛି ବୋଲି କହିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିବାରୁ , ସେ ଏ ସମ୍ପର୍କରେ ଅବଗତ ନାହାଁନ୍ତି , ଘଟଣା ବୁଝିବା ପରେ ଯଦି କାହାର ତ୍ରୁଟି ଥିବ ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।