ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେଡିର ନୂତନ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ କମିଟିର ପ୍ରଥମ ବୈଠକ ଅନୁଗୁଳ ସଭାଘରଠାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ବିଜେଡି ସଭାପତି ବ୍ରଜ କିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେଡି ରାଜ୍ୟ ଉପ-ସଭାପତି ଦେବି ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ବୈଠକରେ ମୁଖ୍ୟ ଅତିଥି ନୂତନ ଭାବେ ଚୟନ ହୋଇଥିବା କର୍ମକର୍ତ୍ତା ମାନଙ୍କୁ କିଭଳି ଲୋକଙ୍କ ସହ ଯୋଡି ହେବେ ସେ ନେଇ ମନ୍ତ୍ର ଦେଇଥିଲେ । ତୃଣମୂଳ ସ୍ତରରେ ଲୋକଙ୍କ ସହ ଯୋଡି ହୋଇ ଆଗାମୀ ଦିନରେ ଦଳକୁ ମଜଭୁତ କିଭଳି କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଏହା ସହ ପ୍ରତ୍ୟେକ ୱାର୍ଡ , ପ୍ରତ୍ୟେକ ପଞ୍ଚାୟତ ସ୍ତରରୁ ଲୋକଙ୍କ ସମସ୍ୟା ବୁଝି ସେମାନଙ୍କ ସାଥିରେ ରହି ପ୍ରଶାସନକୁ ଅବଗତ କରାଇ ସମସ୍ୟା ସମାଧାନ କରିବାକୁ ଏହି ବୈଠକରେ ପରାମର୍ଶ ଦିଆଯାଇଥିଲା । ଏ ସରକାର ହେଉଛି ଏକ ବିଚଳିତ ସରକାର । ଆଜିର ଏହି ବୈଠକ ଅବସରରେ ଏ ସରକାର ଜନ ବିରୋଧୀ ନୀତିରେ ପରିଚାଳିତ । ଯାହା କୁହନ୍ତି ତାହା କରନ୍ତି ନାହିଁ ବୋଲି କହିଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର । ଆଜି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଚାଷୀ ଏବେ ରାଜରାସ୍ତାରେ । ଆଜି ଯାଏ ମଣ୍ଡିରୁ ଧାନ ଉଠି ପାରୁନି ।।ଅନୁଗୁଳ ଜିଲ୍ଲାର ପ୍ରଦୂଷଣ ସ୍ଥିତି ଉଦବେଗ ଜନକ । ହେଲେ ଏ ସରକାର ଏ ଦିଗରେ ପଦକ୍ଷେପ ନେଉ ନାହିଁ ବୋଲି ଅଭିଯୋଗ କରିଥିଲେ ଦେବୀ । ବିଜୁ ଜନତା ଦଳ ଏକ ଦାଗିତ୍ୱ ସମ୍ପର୍ଣ୍ଣ ଦଳ । ଏଣୁ ଏ ସବୁ ସମସ୍ୟା ସମାଧାନ ନ ହେଲେ ଆଗକୁ ଦଳ ରାଜରାସ୍ତାକୁ ଓଲ୍ହାଇବା ସହ ଲୋକଙ୍କ ହିତ ପାଇଁ ଆନ୍ଦୋଳନ କରିବ ବୋଲି କହିଛନ୍ତି ।
ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ସଭାନେତ୍ରୀ ବବିତା ପ୍ରଧାନ, ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂହ, ପୂର୍ବତନ ସାଂସଦ ମହେଶ ସାହୁ, ପୂର୍ବତନ ବିଧାୟକ ସୁଶାନ୍ତ ବେହେରା, ପୂର୍ବତନ ବିଧାୟକ ମୁକେଶ ପାଳ, ଜିଲ୍ଲା ମହିଳା ସଭାପତି ବିଦ୍ୟୁଲତା ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଅନୁଗୁଳ ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ କୁମାର ପ୍ରଧାନ, ଛାତ୍ର ସଭାପତି ରାଜୀବ ଲୋଚନ ଦାସ ପ୍ରମୁଖ ବିଜେପି ସରକାର ବିରୋଧରେ ବର୍ଷିବା ସହ ବିଜେଡିକୁ ପୁଣି ଥରେ କ୍ଷମତାକୁ ଫେରାଇ ଆଣିବା ପାଇଁ କର୍ମୀମାନେ ଲାଗି ପଡ଼ିବାକୁ କହିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ସାମନ୍ତ, ଆଶା କୁମାରୀ ସାହୁ, ହେମଲତା ମହାନ୍ତି, ରାମକୃଷ୍ଣ ପ୍ରଧାନ, ରାଜଶ୍ରୀ ସାହୁ, ରୀନାରାଣୀ ନାୟକ, ଶକ୍ତି ପ୍ରସାଦ ପଟ୍ଟନାୟକ, ନିରଞ୍ଜନ ଦେହୁରୀ, ସମସ୍ତ ବିଜେଡି ବ୍ଲକ୍ ସଭାପତି, ଜିଲ୍ଲା ପରିଷଦ ସଭ୍ୟ, ବରିଷ୍ଠ ନେତା, ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ବିଜେଡି ନେତା ଓ କର୍ମୀ ବିଜୁ ମଇଦାନରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଓ ସଭାଘରେ ଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

