ଅନୁଗୁଳ – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ୨୦୨୬–୨୦୨୭ ଆର୍ଥିକ ବର୍ଷ ପାଇଁ ଆଗତ କେନ୍ଦ୍ର ବଜେଟରେ ଚାଷୀ, ମହିଳା, ଯୁବବର୍ଗ, ବେତନଭୋଗୀ, ମଧ୍ୟବିତ୍ତ, ଗରିବ, ବ୍ୟବସାୟ, MSME, ସ୍ୱାସ୍ଥ୍ୟ ସେବା, ନିଯୁକ୍ତି, ଶିକ୍ଷା, ପ୍ରତିରକ୍ଷା ପରି ସବୁ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି । ଦେଶର ପ୍ରତ୍ୟେକ କୋଣରେ ବିକାଶର ନୂତନ ଆଶାର କିରଣ ଉଜ୍ଜୀବିତ କରିଛି । ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତି ପାଲଟିଥିବା ବେଳେ ତୃତୀୟ ବୃହତମ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି।

ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ପାଇଁ ଏହି ବଜେଟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ, ନୂତନ ଯୋଜନାକୁ ମଞ୍ଜୁରି ମିଳିଛି। ବଜେଟରେ ଆୟୁର୍ବେଦ ଠାରୁ ଆରମ୍ଭ କରି AI ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯାଇଛି। ଗତ ୧୨ ବର୍ଷ ମଧ୍ୟରେ ମାନନୀୟ ମୋଦିଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି ଯୋଗୁଁ ସାରା ବିଶ୍ୱରେ ଅସ୍ଥିରତା ଥିଲାବେଳେ ଭାରତର ଅଭିବୃଦ୍ଧି ବଢ଼ିଚାଲିଛି। ୨୦୪୭ ବିକଶିତ ଭାରତ ୨୦୩୬ ବିକଶିତ ଓଡ଼ିଶା ଗଢ଼ିବା ପାଇଁ ଏହା ଏକ ଶ୍ରେଷ୍ଠ ରୋଡମ୍ୟାପ ହେବା ସହିତ ସବୁବର୍ଗର ଆଶା ପୂରଣ କରିପାରିବାରେ ସକ୍ଷମ ହେବ ବୋଲି ସ୍ବାସ୍ଥ୍ୟ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଂଗ କହିଛନ୍ତି।

ଶ୍ରୀ ମହାଲିଂଗ କହିଛନ୍ତି ଯେ, ଚଳିତ ବଜେଟରେ ଭିତ୍ତିଭୂମି ନିର୍ମାଣ ପାଇଁ ବ୍ୟୟ ବରାଦ ୧୨ ଲକ୍ଷ କୋଟି ଟପିଥିଲାବେଳେ ସାମାଜିକ କ୍ଷେତ୍ରରେ ବ୍ୟୟବରାଦ ବଢ଼ିଛି। ପୂର୍ବରୁ ଚାଲୁଥିବା ଗୋଟିଏ ବି ଯୋଜନା ବନ୍ଦ ହୋଇନାହିଁ। ଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଭାରତର ଅର୍ଥନୀତି ସ୍ଥିର ଅଭିବୃଦ୍ଧି ଏବଂ ନିମ୍ନ ମୁଦ୍ରାସ୍ଫୀତି ସହିତ ନିରନ୍ତର ଭାବେ ବୃଦ୍ଧି ପାଇଛି। ନିଯୁକ୍ତି ସୃଷ୍ଟି, ଉତ୍ପାଦକତା ବୃଦ୍ଧି ଏବଂ ଅଭିବୃଦ୍ଧିକୁ ତ୍ଵରାନିତ କରିବା ଦିଗରେ ସରକାର ବ୍ୟାପକ ଅର୍ଥନୈତିକ ସଂସ୍କାର ଗ୍ରହଣ କରିଛନ୍ତି। ବଜେଟରେ ବିଭିନ୍ନ ସାମଗ୍ରୀକୁ ସସ୍ତା କରିବା ସହ ଆୟକର ସ୍ଲାବ ଅପରିବର୍ତ୍ତିତ ରଖାଯାଇଛି, ଯାହା ସାଧାରଣ ବର୍ଗକୁ ଆଶ୍ୱସ୍ତ କରିଛି।
ରେୟାର ଆର୍ଥ କରିଡୋର (Rare Earth Corridor) – ହାଇ-ଟେକ୍ ହବ୍ ଓଡ଼ିଶା ପାଇଁ ଏହା ଏକ ବଡ଼ ସଫଳତା। ଓଡ଼ିଶା ସହିତ ଅନ୍ୟାନ୍ୟ ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକରେ ପ୍ରଥମ ‘ରେୟାର ଆର୍ଥ କରିଡୋର’ ସ୍ଥାପନ ପାଇଁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ। ଲକ୍ଷ୍ୟ: ଦୁର୍ଲଭ ମୂଲ୍ୟବାନ ଉପାଦାନ (Rare Earth Elements) ଏବଂ ଏହାର ବ୍ୟବହାର ଉପରେ ଆଧାର କରି ଗବେଷଣା ଏବଂ ଉଦ୍ୟୋଗ ଭିତ୍ତିକ ସମୃଦ୍ଧ ଶିଳ୍ପାଳୟ ସୃଷ୍ଟି କରିବା।
ପୂର୍ବ ବର୍ଷ ତୁଳନାରେ ଓଡ଼ିଶାକୁ ୧୪ ହଜାର କୋଟିରୁ ଉର୍ଦ୍ଧ୍ବ କେନ୍ଦ୍ରୀୟ ବଜେଟ୍ ଚଳିତ ବର୍ଷ ଘୋଷଣା ହେବା ପରେ ଓଡ଼ିଶାକୁ ଅର୍ଥ ଆୟୋଗ ସୁପାରିଶ, କେନ୍ଦ୍ରୀୟ ଅନୁଦାନ ଓ ସ୍ଵତନ୍ତ୍ର ଯୋଜନା ବାବଦରେ ୧.୨୦ ଲକ୍ଷ୍ୟ କୋଟି ମିଳିବ ।
ଏହି ବଜେଟ ଦେଶ ଓ ରାଜ୍ୟର ସର୍ବାଙ୍ଗୀଣ ଉନ୍ନତି ପାଇଁ ମୂଳଦୂଆ ପକାଇବା ସହ ସାମଗ୍ରିକ ବିକାଶ କରିବ ବୋଲି ଶ୍ରୀ ମହାଲିଂଗ କହିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ ଜଣାଇଛନ୍ତି।

