ଯୁବତୀଙ୍କୁ ଅସଦାଚରଣ କରି ବିଜେପି ଯୁବନେତା ଗିରଫ – କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ କଂଗ୍ରେସ ଓ ବିଜେଡି

ଅନୁଗୁଳ – ଯୁବତୀଙ୍କୁ ଅସଦାଚରଣ ଓ ଧମକ ଚମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୁଲିସ ବିଜେପିର ଯୁବ ନେତା ସୁଦୀପ୍ତ କୁମାର ସ୍ୱାଇଁ (ଲିଟୁ)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଶରଧାପୁର ଗାଁର ଏହି ଯୁବ ନେତା ଜଣଙ୍କ ଜଣେ ଯୁବତୀଙ୍କୁ ଅନେକ ଦିନ ହେଲା ହଇରାଣ ହରକତ କରୁଥିଲେ । ତାଙ୍କୁ ବିଭିନ୍ନ ନମ୍ବରରୁ ଫୋନ କରି ମାନସିକ ନିର୍ଯାତନା ଦେଉଥିଲେ । ଏପରିକି ଯୁବତୀ ଜଣଙ୍କ ଯିବା ଆସିବା କରିବା ବେଳେ ତାଙ୍କ ବାଟରେ ଅଟକାଇ ଅସଦାଚରଣ କରିବା ସହ ମାଡ ମାରିବାକୁ ଧମକାଉଥିଲେ । ବିଭିନ୍ନ ସମୟରେ ଅସଭ୍ୟ ଭାଷାରେ ଗାଳି ଗୁଳଜ କରି ବା ସହ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଉଥିଲେ । ଏ ସବୁ ଘଟଣା ବାରମ୍ବାର ଘଟିବା ଫଳରେ ଯୁବତୀ ଜଣଙ୍କ ଏ ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଯୁବ ନେତା ସୁଦୀପ୍ତଙ୍କୁ ଗିରଫ କଫି କୋର୍ଟ ଚାଲାଣ କରିଛି ।

ଏହି ଘଟଣା ଜଣା ପଡିବା ପରେ ରାଜ୍ୟ ବିଜେପି ର ନେତୃ ମଣ୍ଡଳୀଙ୍କ ନିଷ୍ପତ୍ତା କ୍ରମେ ଅସାମାଜିକ କାର୍ଯ୍ୟରେ ଲିପ୍ତ ହୋଇ ଗିରଫ ହୋଇଥ‌ିବା ଅନୁଗୁଳ ଜିଲ୍ଲା ବିଜେପିର ସମ୍ପାଦକ ତଥା ପ୍ରାକୁନ ଜିଲ୍ଲା ଯୁବମୋର୍ଚ୍ଚା ର ସଭାପତି ସୁଦୀପ୍ତ ସ୍ବାଇଁ ଙ୍କୁ ବିଜେପି ରୁ ନିଲମ୍ବନ କରା ଯାଇଛି । ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ ଏ ନେଇ ଏକ ପ୍ରେସ ବାର୍ତ୍ତରେ ସୂଚନା ଦେଇଛନ୍ତି ।

ତେବେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ଓ କଂଗ୍ରେସ । କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଅମ୍ବିକା ଭଟଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଘଟଣାର ତୀବ୍ର ନିନ୍ଦା କରାଯାଇଛି । କଂଗ୍ରେସ ଅଭିଯୋଗ ଅନୁଯାୟୀ , ରାଜ୍ୟରେ ଗତ ଏକ ବର୍ଷ ୨ ମାସ ମଧ୍ୟରେ ବଢି ଚାଲିଛି ନାରୀ ନିର୍ଯ୍ୟାତନା , ଦୁଷ୍କର୍ମ । ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହାର ଅନୁପାତ କିଛି କମ ନାହିଁ । ପୂର୍ବରୁ ଜିଲ୍ଲାର ନନ୍ଦିନୀପାଲି , ନିଶା ଥାନା ଅଂଚଳ , ତାଳଚେର , ବନ୍ତଳା ଆଦି ଅଞ୍ଚଳରେ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ଏବେ ପୁଣି ବନ୍ତଳା ଅଞ୍ଚଳର ଜଣେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଯେଉଁଥିରେ ଜଣେ ବିଜେପିର ଯୁବନେତା ହିଁ ଏଭଳି କାଣ୍ଡ ଭିଆଇଥିଲେ । ଆଉ ଏହି ଘଟଣାରେ ସଂପୃକ୍ତ ଯୁବ ନେତା ସୁଦୀପ୍ତ ସ୍ବାଇଁଙ୍କୁ ପୁଲିସ ଗିରଫ କରିଛି । ତେବେ ଏହି ଘଟଣାରେ ଉଦବେଗ ପ୍ରଜାଶ କରିବା ସହ ସରକାରୀ ଦଳର ନେତା ହୋଇଥିବା ଯୋଗୁଁ ପୁଲିସ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛି । ବନ୍ତଳା ପୁଲିସ ତରବରିଆ ଭାବରେ ମାମଲା ଦାୟର କରି ଆଜି ଭୋରରୁ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା । ଏଣୁ ମହିଳା ମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉ ନଥିବା ଏଭଳି ଜଣେ ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।

ସେଜିଭଳି ବିଜେପିର ଏହି ଯୁବନେତାଙ୍କୁ ପୁଲିସ କୋହଳ ମନୋଭାବ ଦେଖାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ବିଜେଡି । ଯେଉଁ ଦଫା ଲାଗିବା କଥା ସେ ସବୁ ନ ଲଗାଇ ଦଫା କୋହଳ କରି ପୁଲିସ ସମ୍ପୃକ୍ତ ଯୁବ ନେତାକୁ କୋର୍ଟ ଚାଲାଣ କରିଛି । ଆଉ ଏହା ପଛରେ ବିଜେପିର କିଛି ତୁଙ୍ଗ ନେତା ଥିବା ବିଜେଡି ଅଭିଯୋଗ ଆଣିଥିବା ବେଳେ ଏହାର ତଦନ୍ତ କରାଯାଇ ସେମାନଙ୍କୁ ଲୋକ ଲୋଚନକୁ ଆଣିବାକୁ ଦାବି କରିଛି । ଏହା ସହ ଯୁବତୀ ଅନେକ ଦିନ ହେଲା ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅବହେଳା ପ୍ରଦର୍ଶନ କରିଥିଲା । ଏଣୁ ଯେଉଁ ପୁଲିସ ଅଧିକାରୀ ଯୁବ ନେତାଙ୍କ ପ୍ରତି କୋହଳ ମନୋଭାବ ଦେଖାଇ ଅଛନ୍ତି , ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଆଉ କୋହଳ ଦଫା କୁ ପରିବର୍ତ୍ତନ କରି ସଠିକ ଦଫା ଲଗାଇବାକୁ ମଧ୍ୟ ଦାବି ହୋଇଛି । ଏହି ସବୁ ଦାବି ନ ମାନିଲେ ବିଜେଡି ଆନ୍ଦୋଳନକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି ବିଜେଡି ।

Advertisement

Leave a Reply

Your email address will not be published. Required fields are marked *