ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁରେ ଶଳାର ଭୁଜାଲି ମାଡ଼ରେ ଭିଣୋଇ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଗୁରୁତର ଭିଣୋଇ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁର ଲିଟୁ ବେହେରା (୨୫) ବୋଲି ଜଣା ପଡ଼ିଛି ।
ସୂଚନା ଅନୁସାରେ, ଗତ ୬ ବର୍ଷ ତଳେ ପଞ୍ଚମହଲା ଗାଁର ଅନିଲ ବେହେରାଙ୍କ ଭଉଣୀଙ୍କୁ ଲିଟୁ ବେହେରା ବାହାଘର ହୋଇଥିଲେ । ହେଲେ ଶଳା ଅନିଲ ଓ ଭିଣୋଇଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହୁଏ । ଏଥିପାଇଁ ପୁରୁଣା ରାଗ ରଖି ଆଜି ସନ୍ଧ୍ୟା ୭ ଘଟିକା ବେଳେ ଲିଟୁ ପଞ୍ଚମହଲା ଛକ ନିକଟରେ ଥିବା ଏକ ଦୋକାନ ଛିଡା ହୋଇଥିବା ବେଳେ ଅନିଲ ଏବଂ ଅନ୍ୟ ଜଣେ ସହଁଯୋଗୀ ଆସି ହଠାତ ଏକ ଭୁଜାଲିରେ ଆକ୍ରମଣ କରି ପଳାଇ ଯାଇଥିଲେ । ସ୍ଥାନୀୟ ଲୋକ ଏବଂ ପରିବାର ଲୋକ ଗୁରୁତର ଅବସ୍ଥାରେ ଲିତୁକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଲିଟୁଙ୍କ ଦୁଇ ହାତ, ଗୋଡ଼, ଛାତି, କାନ୍ଧ ରେ ଗଭୀର ଆଘାତ ଲାଗିଛି। ଆସନ୍ତା କାଲି ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି ପରିବାର ପକ୍ଷରୁ କହିଛନ୍ତି ।

