ଅନୁଗୁଳ – ଅନୁଗୁଳର ଜଣେ ବ୍ୟବସାୟୀ ଅଧିକ ଲାଭ ଆଶାରେ ଟ୍ରେଡିଂ ଆପ୍ରେ ଟଙ୍କା ଲଗାଇ ଠକାମୀର ଶିକାର ହୋଇଛନ୍ତି । ଲୁଟେରା ମାନେ ତାଙ୍କ ପାଖରୁ ୫୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଠକାମିର ଶିକାର ହେବାପରେ ବ୍ୟବସାୟୀ ଜଣଙ୍କ ଏ ନେଇ ଅନୁଗୁଳ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍ଭିନ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଅନୁଗୁଳ ସହରର ଗାନ୍ଧୀମାର୍ଗ ଅଞ୍ଚଳର ଜଣେ ବ୍ୟବସାୟୀ ଗତ ମାସରେ ସୋସିଆଲ ମେଡିଆରୁ ବିଶାଖା ଅଗ୍ରୱାଲ ନାମକ ଜଣେ ମହିଳାଙ୍କ ସଂପର୍କରେ ଆସିଥିଲେ । ସମ୍ପର୍କ ବଢିବା ପରେ ମହିଳା ଓ ତାଙ୍କ ମା’ ଏହି ବ୍ୟକ୍ତିଙ୍କୁ ଟ୍ରେଡିଂ ଆପ୍ରେ ଟଙ୍କା ଲଗାଇବାକୁ ପରାମର୍ଶ ଦେଇଥିଲେ । ଏଥିରେ ଅଧିକ ଲାଭ ମିଳିବ ବୋଲି ପ୍ରବର୍ତାଇ ଥିଲେ । ସେମାନଙ୍କ କଥାରେ ଭାସି ଯାଇ ବ୍ୟବସାୟୀ ଜଣଙ୍କ ଆର୍ଟିଜିଏସ୍ ଜରିଆରେ ଗତ ଜୁଲାଇ ୨୯ ତାରିଖରେ ୧ ଲକ୍ଷ ଟଙ୍କା ନିବେଶ କରିଥିଲେ । ପରେ ୩୦ ତାରିଖରେ ତାଙ୍କ ବ୍ୟାଙ୍କ ଖାତାକୁ ୯, ୯୦୦ ଟଙ୍କା ଆସିଥିଲା । ଏହା ପରେ ପର୍ଯ୍ୟାୟକ୍ରମେ ସେ ଏହି ଟ୍ରେଡିଂ ଆପ୍ରେ ୩୦ ଲକ୍ଷ ୮୦ ହଜାର ଟଙ୍କା ଜମା କରିଥିଲେ । କିନ୍ତୁ ଯେତେବେଳେ ସେ ଟଙ୍କା ଉଠାଇବାକୁ ଚାହିଁଲେ, ତାଙ୍କୁ ୟୁଜର୍ସ ଫି ପାଇଁ ଆଉ ୨୧ ଲକ୍ଷ ୪୬ ହଜାର ଟଙ୍କା ଦେବାକୁ କୁହାଯାଇଥିଲା । ତେଣୁ ବାଧ୍ୟ ହୋଇ ସେ ଟଙ୍କା ଜମା କରିଥିଲେ । ଏହା ପରେ ମଧ୍ୟ ତାଙ୍କୁ ମୂଳ ଟଙ୍କା ଉଠାଇବାରେ ସମସ୍ୟା ହୋଇଥିଲା । ପରେ ଆୟକର ବାବଦରେ ଆଉ ୨୯ ଲକ୍ଷ ଟଙ୍କା ଜମା କରିବାକୁ ଏକ ଚିଠି ଆସିଥିଲା । କିନ୍ତୁ ଏହି ଆୟକର ନୋଟିସ୍ ନକଲି ବୋଲି ସେ ସନ୍ଦେହ କରିଥିଲେ । କାରଣ ଏଥିରେ ତାରିଖ କିମ୍ବା ପଞ୍ଜୀକରଣ ନମ୍ବର ନ ଥିଲା । ତେଣୁ ସେ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଥିବା ଜାଣିବାକୁ ପାଇଥିଲେ । ଏ ନେଇ ସେ ଅନୁଗୁଳ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ।