ଅନୁଗୁଳ – ଅନୁଗୁଳ ଜିଲ୍ଲା ପବିତ୍ର ମୋହନ ମେଡ଼ିକାଲ କଲେଜରେ ଆରମ୍ଭ ହୋଇଛି ପାଠ ପଢା । ବହୁ ବାଦ ବିବାଦ ଲାଗି ରହିଥିବା ତାଳଚେର ମେଡ଼ିକାଲ କଲେଜରେ ଶହେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଗତକାଲି ଏହି ଛାତ୍ରଛାତ୍ରୀ ମାନଙ୍କୁ ତାଳଚେରସ୍ଥିତ ମେଡ଼ିକାଲ କଲେଜରେ ସ୍ୱାଗତ କରଯିବା ପରେ ଆଜି ପ୍ରାକ୍ଟିକାଲ ହେବାକୁ ଥିବା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲରେ ପାଠ ପଢା ଆରମ୍ଭ ହୋଇଛି । ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଆଜି ଅନୁଗୁଳ ସହରରେ ଥିବା ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ ପରିଦର୍ଶନ କରି ଆସିଥିଲେ। ତାଳଚେରରେ ପାଠ ପଢିବେ ଏବଂ ଅନୁଗୁଳରେ ପ୍ରାକ୍ଟିକାଲ କରିବେ। ଦୁଇଟି ବସ ଓ ଗୋଟିଏ ଟ୍ରାଭେଲର ଗାଡ଼ିରେ ଅନୁଗୁଳରେ ପହଞ୍ଚିବା ପରେ ବାଜା ବଜାଇ, ଫୁଲ ଚନ୍ଦନ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରା ଯାଇଥିଲା। ଏଥିରେ ସିଡିଏମ୍ଓ ଡାକ୍ତର ମଦନ ମୋହନ ପ୍ରଧାନ, ଏଡିଏମ୍ଓ ଦିଲ୍ଲୀପ କୁମାର ପଟ୍ଟନାୟକ, କଲେଜର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡ. କୀର୍ତ୍ତିରେଖା ମହାପାତ୍ର, ମେଡିକାଲ ସୁପରିଟେଣ୍ଡଣ୍ଟ ପ୍ରଫେସର ଡ. ତରଙ୍ଗିଣୀ ଦାସ, ଏଚୋଡି ଚିତ୍ରରେଖା ପାତ୍ର, ଡ଼ା.ବିଜୟ ବେହେରା ଉପସ୍ଥିତ ଥିଲେ।ଉକ୍ତ ମେଡିକାଲ କଲେଜରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୫ ଜଣ ଅନ୍ୟ ରାଜ୍ୟରୁ ହୋଇଥିବା ବେଳେ ୮୫ ଜଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ନାମ ଲେଖାଇଛନ୍ତି । ୨୦୧୮ମସିହାରୁ ନିର୍ମାଣ ହୋଇଥିବା ଏହି ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲରେ କେବେ ପାଠପଡ଼ା ଆରମ୍ଭ ହେବ ଏବଂ ଚିକିତ୍ସା ହେବ ବୋଲି ସେ ନେଇ ଜିଲ୍ଲାବାସୀ ଚାହିଁ ବସିଥିଲେ। ଏନେଇ ତାଳଚେର ଅଞ୍ଚଳର ଲୋକ ବହୁବାର ଆନ୍ଦୋଳନ ମଧ୍ୟ କରିଥିଲେ। ଫଳରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ବେଳେ ପ୍ରଥମ କରି ପାଠପଡ଼ା ଆରମ୍ଭ ହେବାକୁ ଯାଉଥିବାରୁ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଆଜି ଛାତ୍ର ଛାତ୍ରୀ ଅନୁଗୁଳ ମେଡ଼ିକାଲ ଆସି ପରିଦର୍ଶନ କରିଥିବା ବେଳେ ବହୁ ଉତ୍ସାହିତ ଥିବା ଜଣା ପଡିଛି।

