ଅନୁଗୁଳ – ଜିଲ୍ଲାରେ ନିଶା କାରବାର ବ୍ୟାପକ ଭାବେ ବୃଦ୍ଧି ପାଇଥିବା ବେଳେ ଅନୁଗୁଳ ଜିଲ୍ଲା ଏସ୍.ପି. ରାହୁଲ ଜୈନ ଏହି କାରବାର ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶ ଅନୁଯାୟୀ ଜିଲ୍ଲା ପୁଲିସ ପ୍ରତ୍ୟେକ ଦିନ ନିଶା କାରବାରରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ କାବୁ କରି ପାରୁଛି । ଗୁରୁବାର ଏଭଳି ଏକ ନିଶା କାରବାରରେ ସମ୍ପୃକ୍ତ ଥିବା ଦମ୍ପତ୍ତିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫.୬ ଗ୍ରାମ ବ୍ରାଉନସୁଗାର ସହ ୪୭ ହଜାର ନଗଦ ଟଙ୍କା ଜବତ କରିଛି ।

ସୂଚନା ଅନୁସାରେ ଅନୁଗୁଳ ଟାଉନ ଥାନା ପୁଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଅନୁଗୁଳ ସହର ଶିକ୍ଷାକପଡା ସାଇ ମନ୍ଦିର ନିକଟରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇଥିଲା । ଖବର ପାଇବା ପରେ ଅନୁଗୁଳ ଟାଉନ ଥାନା ଅଧିକାରୀ ଧୀରେଶ ଦାସଙ୍କ ନିର୍ଦେଶରେ ଏ ଏସ ଆଇ ଦୀପ୍ତିମୟୀ ବିଶ୍ବାଳଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେଠାରେ ଥିବା ଶିକ୍ଷାକପଡା ଅଞ୍ଚଳର ଅଜ୍ଞାନ ଦେହୁରୀ ଓ ତାଙ୍କ ସ୍ତ୍ରୀ ରଶ୍ମିତା ଦେହୁରୀଙ୍କ ଉପରେ ସନ୍ଦେହ କରି ଜାଞ୍ଚ କରିଥିଲେ । ଜାଞ୍ଚ ବେଳେ ତାଙ୍କ ନିକଟରୁ ୫.୬ ଗ୍ରାମ ବ୍ରାଉନସୁଗାର ସହ ୪୭ ହଜାର ନଗଦ ଟଙ୍କା ଜବତ କରା ଯାଇଥିଲା । ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ଉଭୟଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

