
ଅନୁଗୁଳ- ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ତୁରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୀତାଗ୍ରାମରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କରିକୁ ଦାବି କରାଯାଇଛି । ଗୀତାଗ୍ରାମ ଉନ୍ନୟନ ସମିତି ତରଫରୁ ରବିବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ରେ , ଅନୁଗୁଳ ପୌରାଞ୍ଚଳର ଅତି ନିକଟରେ ଥାଇ ମଧ୍ୟ ଏହି ଅଞ୍ଚଳର ଉନ୍ନତିକରଣ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୨ ହଜାରରୁ ଊର୍ଦ୍ଧ୍ବ ଜନବସତୀ ଥିବା ଏହି ଗାଁ ଦେଇ ୨୦୦୮ରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏକ ରାସ୍ତା ନିର୍ମାଣ କରାଯାଇଥିଲା । ଯାହାକି ଏବେ ନଷ୍ଟ ହୋଇଯାଇଛି । ତେବେ ରାସ୍ତାର ଉଭୟ ପାର୍ଶ୍ବରେ ଭଲ ଡ୍ରେନ ନଥିବାରୁ ବର୍ଷା ଜଳ ସାଙ୍ଗକୁ ଘରର ଜଳ ନିଷ୍କାଶନ ହୋଇପାରୁନାହିଁ । ରାସ୍ତାରେ ଭାରିଯାନ ଚଳପ୍ରଚଳ କରୁଥିବାରୁ ଏହା ପ୍ରାୟ ନଷ୍ଟ ହେଲାଣି । ରାସ୍ତାରେ ଥିବା ୨ଟି କଲଭର୍ଟ ଭାଙ୍ଗି ଗଲାଣି । ନାଳ ପାଣି ରାସ୍ତା କଡ଼ରେ ଜମିରହୁଛି । ଏ ନେଇ ଗ୍ରାମବାସୀ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଧାୟକ ଓ ସରପଞ୍ଚଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏହି ରାସ୍ତାର ଉନ୍ନତିକରଣ ପାଇଁ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଗୀତାଗ୍ରାମ ଉନ୍ନୟନ ସମିତିର ସଭାପତି ବାସୁଦେବ ହୋତାଙ୍କ ସହିତ ସମ୍ପାଦକ ବିଜୟ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପବିତ୍ର କୁମାର ପ୍ରଧାନ, ଉପଦେଷ୍ଟା ରାଜକିଶୋର ସାହୁଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।


