ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ସହ ଜଡ଼ିତ – ଖାଉଟି କଲ୍ୟାଣ ମନ୍ତ୍ରୀ

ଅନୁଗୁଳ – ଆଜି ଅନୁଗୁଳ ସର୍କିଟ ହାଉସ ଠାରେ ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି (ଗ୍ରାମୀଣ)ଭିବି ଜି ରାମ ଜି -୨୦୨୫ ସଂମ୍ପର୍କରେ ଅନୁଗୁଳ ଭାଜପା ଜିଲା ସଭାପତି ଶ୍ରୀ ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମୀଳନୀରେ ରାଜ୍ୟ ଖାଉଟି କଲ୍ୟାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ ଭାରତ ସରକାରଙ୍କ ପକ୍ଷରୁ ନୂତନ ଭାବେ ପ୍ରଣୟନ କରାଯାଇଥିବା ଭି ବି ଜି ରାମ ଜି ଆଇନ – ୨୦୨୫ ସମ୍ପର୍କରେ ଯୋଜନାର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ ।

ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ ଭାରତର ସାମାଜିକ – ଅର୍ଥ ନୈତିକ ସରଞ୍ଚନାରେ ଗ୍ରାମୀଣ ରୋଜଗାର କାର୍ଯ୍ୟକ୍ରମ ଗୁଡ଼ିକ ଐତିହାସିକ ଭାବେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ସମ୍ପତ୍ତି ସୃଷ୍ଟି, ଗ୍ରାମ ବିକାଶ ଏବଂ ସାମାଜିକ ସ୍ଥିରତାରେ ଏକ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ।୨୦୦୬ ମସିହାରେ ପ୍ରଣୀତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ (ଏମଜି ଏନଆରଇଜିଏ) ମଜୁରୀ ଭିତ୍ତିକ ରୋଜଗାର ପାଇଁ ଏକ ସାମ୍ବିଧାନିକ ଗ୍ୟାରେଣ୍ଟି ପ୍ରଦାନ କରି ସମାଧାନ ନିମନ୍ତେ ଚେଷ୍ଟା କରିଥିଲା କିନ୍ତୁ ଏଥିରେ ଦୁର୍ବଳ ଶାସନ ବ୍ୟବସ୍ଥା, ଦୁର୍ନୀତି ଏବଂ ବିକାଶ ମୂଳକ ଆଭିମୁଖ୍ୟର ଅଭାବ ଯୋଗୁଁ ଦୀର୍ଘ କାଳୀନ ପ୍ରଭାବ ହ୍ରାସ ପାଇଥିଲା। ତେଣୁ ଭାରତ ସରକାର ଏହି ଆଇନ କୁ ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା ମିଶନ ଗ୍ୟାରେଣ୍ଟି (ଗ୍ରାମୀଣ) ଭିବି ଜି ରାମ ଜି -୨୦୨୫ ପ୍ରଣୟନ କରିଛନ୍ତି ଯାହାକି ଗ୍ରାମୀଣ ରୋଜଗାରକୁ ବିକଶିତ ଭାରତ @୨୦୪୭ର ଲକ୍ଷ୍ୟ ସହ ଯୋଡ଼ିଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ଯୋଜନା କାର୍ଯ୍ୟକାରୀ ଯୋଗୁଁ ଦୁର୍ନୀତି ରୋକିବା ସହ ଗ୍ରାମାଞ୍ଚଳର ବିକାଶ ହୋଇ ପାରିବ। ମହାତ୍ମା ଗାନ୍ଧୀ ନାମ ପରିବର୍ତ୍ତନ କରା ଯାଇଥିବା ନେଇ ସାମ୍ବାଦିକ ମାନେ ପ୍ରଶ୍ନ ପଚାରିବାରୁ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ କାହା ନାମକୁ ନେଇ ବିକାଶ ହୁଏ ନାହିଁ ବରଂ ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟ କରିଲେ ବିକାଶ ହୋଇଥାଏ ବୋଲି ପ୍ରକାଶ କରିଥିଲେ।ଏମଜି ଏନଆରଇଜିଏ ଯୋଜନା ଦ୍ବାରା ଅସ୍ଥାୟୀ ରାସ୍ତା କିମ୍ଵା ଅଣଯୋଜନାବଦ୍ଧ ମାଟି କାମ ସ୍ଥାୟୀ ଅର୍ଥନୈତିକ ଲାଭଦେବାରେ ବିଫଳ ହୋଇଥିଲା।ଜାଲ୍ ଜବ୍‌ କାର୍ଡ, ମିଥ୍ୟା ହିତାଧିକାରୀ ଏବଂ ମାଷ୍ଟର ରୋଲରେ ହେରଫେର ଭଳି ଅଭ୍ୟାସ ବ୍ୟାପକ ଥିଲା। ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ତେଲେଙ୍ଗାନା ଭଳି ରାଜ୍ୟରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ସାମ୍ନାକୁ ଆସିଥିଲା।ଚାଷ ସମୟରେ ମଧ୍ୟ କାମ ଜାରି ରହିବା ଫଳରେ ଚାଷୀମାନେ ଶ୍ରମିକ ଅଭାବର ସମ୍ମୁଖୀନ ହେଉଥିଲେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସମ୍ୟକ୍ ଭାବେ ଆଇନ ପ୍ରଣୟନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି,ଅନୁଗୁଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଭାଜପା ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ସାଧାରଣ ସମ୍ପାଦକ ପ୍ରଭାତ ପ୍ରଧାନ ଓ ସୁଦୀପ ଗଡ଼ନାୟକ, କୋଷାଧ୍ୟକ୍ଷ ବିଶ୍ୱଜିତ୍ ମିଶ୍ର,ବରିଷ୍ଠ ନେତା ଦିଲ୍ଲୀପ ପ୍ରଧାନ,ଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page