ଅନୁଗୁଳ – ଗତ ୭ ତାରିଖ ଦିନ ଅନୁଗୁଳ ସଦର ମହକୁମାଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଥିବା ବାଳୁଅକଟା ପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମରେ ଘଟିଯାଇଥିବା ନାବାଳିକା ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ। ଆଜି ବି ପୁଲିସ ହାତ ଖାଲି ପଡ଼ିଥିବା ବେଳେ କେବଳ ତଦନ୍ତ ନାଆଁରେ ପୁଲିସ ସମୟ ଗଡାଇ ଚାଲିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ପୁଲିସ ଜାଣିଶୁଣି ଘଟଣାକୁ ଚପାଇବା ପାଇଁ ଚେଷ୍ଟା ଚଳାଇଛି। ଆଜି ପର୍ଯ୍ୟନ୍ତ ଡାକ୍ତରୀ ପଞ୍ଚନାମା ପୁଲିସର ହସ୍ତଗତ ହୋଇନାହିଁ କହି ଅଯଥା ବିଳମ୍ବ କରୁଛି। ଘଟଣା ଯେତିକି ବିଳମ୍ବ ହେଉଛି, ସାଧାରଣରେ ସନ୍ଦେହ ମଧ୍ୟ ସେହି ହାରରେ ବଢି ଚାଲିଛି ବୋଲି କଂଗ୍ରେସ କହିଛି ।
ଏ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଜିଲ୍ଲା ସଂଗଠକଙ୍କ ନେତୃତ୍ୱରେ ଗତକାଲି ମୃତକଙ୍କ ପରିବାରକୁ ଭେଟିଥିଲେ ଓ ଉକ୍ତ ପରିବାର ଘଟଣାକୁ ନେଇ ସନ୍ଦେହ ଓ ଭୟରେ ସମୟ କାଟୁଥିବା ଜାଣିବାକୁ ପାଇଥିଲେ। ଦୀର୍ଘ ସାତ ଦିନ ବିତି ଯାଇଥିଲେ ମଧ୍ୟ ଏଯାବତ୍ ଘଟଣାର ସାମାନ୍ୟତମ ଟେର ପୁଲିସ ପାଇ ପାରି ନାହିଁ। ଆସାମୀକୁ ଗିରଫ କରିବା ପୁଲିସ ପାଇଁ ଏକ କାଠିକର ପାଠ ହୋଇଥିବା ସାଧାରଣରେ ଆଲୋଚନା ହେଲାଣି। ଏ ତମାମ ଘଟଣାକୁ ନେଇ ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ସଂଯୋଜକ ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ସ୍ଥାନୀୟ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣ ଧାରଣା ଦିଆଯାଇଥିଲା। ଉକ୍ତ ଗଣଧାରଣାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲ୍ଲା ପ୍ରଭାରୀ ପୂର୍ବତନ ବିଧାୟକ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଲଲାଟେନ୍ଦୁ ମହାପାତ୍ର ଯୋଗଦେଇ ନାବାଳିକା ହତ୍ୟାକାଣ୍ଡର କୌଣସି ସୂଚନା ଆଜିଯାଏ ନ ମିଳିବା ନିଶ୍ଚିତ ପକ୍ଷେ ପୁଲିସ ଓ ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି କହିଥିଲେ । ଯେପରିକି କେହି କ୍ଷମତା ସମ୍ପନ୍ନ ବ୍ୟକ୍ତି ଏଥିରେ ସମ୍ପୃକ୍ତ, ଯଦ୍ୱାରା ପୁଲିସ ଘଟଣାକୁ ଘଣ୍ଟ ଘୋଡାଉଛି ବୋଲି ସେ ସନ୍ଦେହ ପ୍ରକଟ କରିଥିଲେ ।
ଯଥାଶୀଘ୍ର ଘଟଣା ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ପ୍ରଦାନ ସହ ଆସାମୀକୁ ଗିରଫ କରାନଗଲେ ବାଧ୍ୟହୋଇ ଜିଲ୍ଲା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ଓ ସେଥିପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଦାୟୀ ରହିବ ବୋଲି ପ୍ରକାଶ କରି କରିଥିଲେ। ଆଜିର ଏହି ଗଣ ଧାରଣାରେ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ସସ୍ମିତା ବେହେରା, ପ୍ରଦେଶ କଂଗ୍ରେସ ମୁଖପାତ୍ର ରୁପାଦୀପ୍ତା ମହାପାତ୍ର, ଗୋପାଳ ଚନ୍ଦ୍ର ନାଥ, ଜିତେନ୍ଦ୍ର କୁମାର ସାହୁ, ନୀଳକଣ୍ଠ ନାଏକ, ଉମେଶ ଚନ୍ଦ୍ର ସାହୁ, ତପନ ପ୍ରଧାନ, ବିଜୟାନନ୍ଦ ଚାଉଳିଆ, ବଲବୀର ସିଂ, ଶ୍ରୀମତୀ ମାଣିକ୍ୟ ପ୍ରଭା, ଚିତ୍ତରଞ୍ଜନ ନାଏକ, ସରୋଜ ପ୍ରଧାନ, ସନତ ପ୍ରଧାନ, ଭଜମନ ଦାସ, କ୍ଷୀରୋଦ ପଟ୍ଟନାୟକ, ବନ ବିହାରୀ ପ୍ରଧାନ, ଗଗନ ପ୍ରଧାନ, ଲୋକନାଥ ସାହୁ, ସହଦେବ ବେହେରା, ପିଣ୍ଟୁ ପ୍ରଧାନ, ବାସୁଦେବ ସାମଲ, ବନ୍ଦେଶ ମହାରଣା, ସୌମେନ୍ଦ୍ର ଦେହୁରୀ, ରାକେଶ ସାହୁ, ଯଦୁନାଥ ବେହେରା, ସରୋଜ ପ୍ରଧାନ, ପାର୍ଥବୀର ବେହେରା, ଅରୁପ ସାମଲ, କମ୍ଭୁନାଥ ଦେହୁରୀ, କସିଦା ଖାନ, ଶାନ୍ତୀ ବେହେରା, ହିମାଂଶୁ ଧଳ, କେଶବ ଭୂତିଆ, ପ୍ରବୋଧ ସ୍ଵାଇଁ, ଆଲୋକ ଦେହୁରୀ ଓ ଶିଶିର ପାଳ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅପରାହ୍ନରେ ଏକ ପ୍ରତିନିଧି ଦଳ ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ସ୍ମାରକପତ୍ର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଜରିଆରେ ପ୍ରଦାନ କରିଥିଲେ।