ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ହାବୁଡ଼ରେ ଗଞ୍ଜେଇ ମାଫିଆ । ଫୁଲବାଣୀରୁ କାର ଯୋଗେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରି ନେଉଥିବା ବେଳେ ଅବକାରୀ ବିଭାଗ ୧୫୦ କେଜି ଗଞ୍ଜେଇ ଜବତ କରିଛି । ଏହା ସହ ଗଞ୍ଜେଇ ଚାଲାଣ କରୁଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି କାର ଜବତ କରିଛି ।
ସୂଚନା ଅନୁସାରେ ଫୁଲବାଣୀରୁ ବଡ଼ ପରିମାଣର ଗଞ୍ଜେଇ ଚାଲାଣ ହୋଇ ଅନୁଗୁଳ ରାସ୍ତା ଦେଇ ଯାଉଥିବା ଅବକାରୀ ବିଭାଗକୁ ସୂଚନା ମିକିଥିଲା । ଏହି ଖବର ପାଇବା ପରେ ଅନୁଗୁଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ତିନୋଟି ଟିମ ଗଠନ କରି ଭିନ୍ନ ଭିନ୍ନ ସ୍ଥାନରେ ଛକି ରହିଥିଲେ । ଦୁଇଟି କାରରେ ଗଞ୍ଜେଇ ଆସୁଥିବା ବେଳେ ଗୋଟିଏ କାରକୁ ଦୁର୍ଗାପୁର ନିକଟରେ ଆଉ ଗୋଟିଏ କାରକୁ ଜରପଡା ନିକଟରେ ଅଟକାଇ ଜାଞ୍ଚ କରାଯାଇଥିଲା । ଜାଞ୍ଚ ବେଳେ ଉଭୟ କାରରୁ ଚାରିଟି ବସ୍ତାରେ ଥିବା ୧୫୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ । କାରରେ ଥିବା ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ଫୁଲବାଣୀ ଜିଲ୍ଲାରେ ହୋଇଥିବା ବେଳେ ଜଣଙ୍କର ଅନୁଗୁଳ ଓ ଅନ୍ୟ ଜଣଙ୍କର ପୁରୀ ଜିଲ୍ଲାର ବୋଲି ଜଣା ପଡ଼ିଛି । ତେବେ ଏହି ଗଞ୍ଜେଇ ବେପାରରେ ଅନ୍ୟ କାହାର ସମ୍ପୃକ୍ତି ଅଛି ଆଉ ଏହି ଗଞ୍ଜେଇ କେଉଁଆଡ଼େ ଚାଲାଣ ହେଉଥିଲା ସେ ନେଇ ଅଧିକ ତଦନ୍ତ କରୁଛି ଅବକାରୀ ବିଭାଗ ।

