ଛେଣ୍ଡିପଦା – ଅନଗୁଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଦେଖା ଦେଇଛି ୟୁରିଆ ସାର ସଙ୍କଟ । ବର୍ତ୍ତମାନ ସ୍ଥିତିରେ ଧାନ ଚାଷ ପାଇଁ ୟୁରିଆ ସାରର ବେଶ ଆବଶ୍ୟକତା ଥିବା ବେଳେ ସାରର ଅଭାବ ଦେଖା ଦେଇଛି । ଯେତିକି ସାର ଆବଶ୍ୟକ ଅଛି , ତାଠାରୁ ବହୁତ କମ ସାର ସରକାରୀ ପାକ୍ସକୁ ଆସୁଥିବା ଯୋଗୁଁ , ଯେଉଠିକୁ ସାର ଆସୁଛି ସେଠି ଚାଷୀ ମାନଙ୍କ ମଧ୍ୟରେ ସାର ନେବା ପାଇଁ ପ୍ରତିଯୋଗିତା କରିବାକୁ ପଡୁଛି । ଯେତେ କଷ୍ଟ ହେଉ ପଛେ ଭିଡ ଭିତରେ ଠେଲାପେଲା ହୋଇ ସାର ନେବାକୁ ଚାଷୀ ଚେଷ୍ଟା କରୁଛି ।
ଆଜି ଏଭଳି ଏକ ଅଭାବନୀୟ ଦୃଶ୍ୟ ଛେଣ୍ଡିପଦା ବ୍ଲକ ବାଗଡିଆ ସମବାୟ ସମିତିରେ ଦେଖିବାକୁ ମିଳିଥିଲା । ୟୁରିଆ ସାର ଆସିଥିବା ଖବର ପାଇ ଚାଷୀଙ୍କ ନାହିଁ ନଥିବା ଭିଡ଼ ହୋଇଥିଲା । ଲୋକ ରାତି ୨ ଟାରୁ ସାର ନେବା ପାଇଁ ଭିଡ଼ ଜମାଇଥିଲେ । ଚାଷୀ ମାନେ ଲମ୍ବା ଲାଇନରେ ନିଜର ଆଧାର କାର୍ଡ ରଖି ସମବାୟ ସମିତିରେ ଜଗି ରହିଥିଲେ । ଦିନ ପ୍ରାୟ ୧୧ ତା ଯାଏ ଚାଷୀମାନେ ଜଗି ରହିଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା । ସେହି ବର୍ଷାରେ ମଧ୍ୟ ଚାଷୀମାନେ ଭିଜି ଛିଡା ହୋଇ ରହିଥିଲେ । ଏପରିକି ବର୍ଷାରେ ସେମାନଙ୍କ ଆଧାର କାର୍ଡ ସବୁ ସେମିତି ଧାଡିରେ ରହି ଭିଜୁଥିଲା । କିନ୍ତୁ ସାର ଟିକିଏ ପାଇବା ଆଶାରେ ଆଧାରକାର୍ଡକୁ ବର୍ଷାରୁ ଉଠାଇ ନଥିଲେ । ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ ସଠିକ ଭାବରେ ସାର ଯୋଗାଇ ମିଳୁନଥିବା ବେଳେ ଆବଶ୍ୟକତା ଠାରୁ କମ୍ ସାର ଆସୁଥିବାରୁ ଚାଷୀଙ୍କର ଏଭକି ଅବସ୍ଥା ଦେଖିବାକୁ ମିଳିଛି l ଅନ୍ୟ ପକ୍ଷରେ ସରକାରୀ ମୂଲ୍ୟରେ ୨୭୦ ଟଙ୍କାରେ ଯୋଗାଇଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ସାର ବସ୍ତା ପିଛା ୬୦୦ ରୁ ୭୦୦ଟଙ୍କା ବିକ୍ରି କରୁଛନ୍ତି । ଆଉ ଏହି ସମୟରେ ବାଗଡିଆ ସମବାୟ ସମିତିକୁ ୟୁରିଆ ସାର ଆସିଥିବା ଖବର ପାଇ ଚାଷୀଙ୍କ ନାହିଁ ନଥିବା ଭିଡ଼ ଜମିବା ସହ ବର୍ଷାରେ ଭିଜି ସାର ନେବା ପାଇଁ ଚାଷୀ ଅପେକ୍ଷା କରିଥିଲା । ସରକାର ସାର ଯୋଗାଇବାରେ ବିଫଳତାକୁ ନେଇ ଦାୟୀ କରିବା ସହିତ ଆମେ ସରକାରଙ୍କୁ ଭୋଟ ଦେଇ ଭୁଲ କରିଛୁ ବୋଲି କିଛି ଚାଷୀ କହିଛନ୍ତି । ସାରର ବେଶ ଆବଶ୍ୟକତା ଥିବା ବେଳେ ପ୍ରଶାସନ ପକ୍ଷରୁ ସାର ସଠିକ ଭାବେ ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି ।