ଦୁର୍ଘଟଣାରେ ଆହତ ଅଧ୍ୟାପକଙ୍କ ମୃତ୍ୟୁ

ପାଲଲହଡା – ଗତ ଶନିବାର ଦିନ ଗାଡି ଧକ୍କାରେ କଲେଜର ଅଧ୍ୟାପକ ଭାସ୍କର ଚନ୍ଦ୍ର ସାହୁ ଗୁରୁତର ହେଇଥିଲେ । ସୋମବାର ସକାଳେ ତାଙ୍କର ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଯାହାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ମାଲ୍ୟଗିରି ମହାବିଦ୍ୟାଳୟ ସମ୍ମୁଖରେ ଚାରି ଥାକିଆ ରାଜପଥ ଉପରେ ଦ୍ରୁତ ଗତିରେ ଚଳାଚଳ କରୁଥିବା ଯାନବାହାନ ପାଇଁ କୌଣସି ପ୍ରତିଷେଧକ ବ୍ୟବସ୍ଥା ନଥିବାରୁ ପ୍ରତେକ ଦିନ ଦୁର୍ଘଟଣା ଘଟୁଛି । ଶନିବାର ଦିନ  କଲେଜର ଅଧ୍ୟାପକ ଭାସ୍କର ଚନ୍ଦ୍ର ସାହୁ କଲେଜ ସାରି ଅପରାହ୍ନ ୩ ତା ବେଳେ ଘରକୁ ଫେରୁଥିବା ବେଳେ ତାଙ୍କୁ ଏକ କଣ୍ଟେନର ଧକ୍କା ଦେଇଥିଲା । ଯାହା ଫଳରେ ଏ ଗୁରୁତର ହୋଇ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ସୋମବାର ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା । ସୋମବାର ମାଲ୍ୟଗିରି ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ପାଲଲହଡା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବିପତ୍ର ଦେଇଛନ୍ତି । ମହାବିଦ୍ୟାଳୟକୁ ସର୍ଭିସେସ ରୋଡ଼ କରିବା, ରାଜପଥ ଉପରେ ସ୍ପୀଡ଼ ବ୍ରେକର ନିର୍ମାଣ କରିବା, କଲେଜ ଛକ୍କ ଠାରୁ ୧୦୦ ମିଟର ଦୂରରେ ଉଭୟ ପାର୍ଶ୍ୱ ରେ ଥିବା ଟ୍ରକ ପାର୍କିଂ ବ୍ୟବସ୍ଥା କୁ ଉଚ୍ଛେଦ କରିବା ଏବଂ କଲେଜ ଛକ୍କ ସମ୍ମୁଖରେ ଟ୍ରାଫିକ ବ୍ୟବସ୍ଥା କରିବା ଆଦି ଦାବି ପ୍ରଦାନ କରିଥିଲେ । ଏଥି ସହିତ କଲେଜ ନିକଟରେ ଥିବା ଢ଼ାବା ଓ ହୋଟେଲ ଗୁଡିକରେ ଅବାଧରେ ବେଆଇନ ମଦ କାରବାରକୁ ସମ୍ପୂର୍ଣ ରୋକା ଯିବା ପାଇଁ ଦାବି କରି ଥିଲେ । ଯଦି ଏ ସମସ୍ତ ଦାବି ପୂରଣ ନ ହୁଏ ତେବେ ଖୁବ ଶୀଘ୍ର ସମସ୍ତ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଛାତ୍ର ସଂସଦ ପକ୍ଷରୁ ଚେତାବନୀ ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page