ଅନୁଗୁଳ – ଚୋରି କଲା ବୋଲି ପିଟିପିଟି ମାରିଦେଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଥାନା ରାଣୀଗୋଡା ଅଞ୍ଚଳରେ ।

ସୂଚନା ଅନୁସାରେ ଗତକାଲି ରାଣୀଗୋଡା ଗାଁର ପଡ଼ିଆରେ ସେହି ଗାଁର ବାପି ବିଶ୍ୱାଳ ନାମକ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ପଡି ଥିବା ଦେଖି ସ୍ଥାନୀୟ ସରପଞ୍ଚ ପୁଲିସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଦେହରେ ବହୁ କ୍ଷତ ଚିହ୍ନ ଥିବା ବେଳେ ମାଡ଼ ମାରିଥିବା ଯୋଗୁଁ ଏଭଳି କ୍ଷତ ଥିବା ସନ୍ଦେହ କରାଯାଉଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି(ରବିବାର) ତାଙ୍କର ମୃତ୍ୟୁ ହୋଇଥିଲା। । ମୃତ୍ୟୁ ପରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ବାପି ବିଭିନ୍ନ ସମୟରେ ଛୋଟମୋଟ ଚୋରି କରିଥାଏ । ଆଉ ବାପି ଗତ କିଛିଦିନ ତଳେ ସେହି ଗାଁର ଜଣଙ୍କ ଘରେ କିଛି ଚୋରି କରି ଧରା ପଡିବା ପରେ ଦୁଇଜଣ ଯୁବକ ତାଙ୍କୁ ମାଡ ମାରିଥିଲେ । ପରେ ପୁଣି ଗତକାଲି ଉଭୟ ଯୁବକଙ୍କ ବାପି ସହ ଉଚ୍ଚବାଚ ହେବା ପରେ ବାପିଙ୍କୁ ମାଡ ମାରିଥିଲେ ବୋଲି ଜଣା ପଡ଼ିଛି । ଯାହା ଫଳରେ ସେ ଗୁରୁତର ହୋଇ ପଡି ଯାଇଥିଲା ଆଉ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା ।