ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାଙ୍ଗୁଡିଆ ଗାଁରେ ୨୦୨୪ ମସିହାରେ ଜଣେ ଯୁବକକୁ ହତ୍ୟା କରିବା ଘଟଣାରେ ଜିଲ୍ଲା ଓ ଦୌରା ଜଜ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା , ଅନାଦେୟ ଅଧିକ ୬ ମାସ କାରାଦଣ୍ଡାଦେଶ ଦେଇଛନ୍ତି ।

ସୂଚନା ଅନୁସାରେ , ଚାଙ୍ଗୁଡିଆ ଗ୍ରାମର ପଙ୍କଜ ମାଝୀ ଙ୍କ ପୁଅ ଚତୁର୍ଭୁଜ ମାଝୀ ଗାଁର ନର ମାଝୀଙ୍କ ନିକଟରେ ରାଜମିସ୍ତ୍ରୀ ଭାବେ କାମ କରେ । ୨୦୨୪ ନଭେମ୍ବର ୪ ତାରିଖରେ ଚତୁର୍ଭୁଜ ବକେୟା ମଜୁରୀ ନେବା ପାଇଁ ନର ଘରକୁ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଭୟଭୀତ କରାଇଥିଲା । ନର ପ୍ରତିବାଦ କରିବାରୁ ସେଠାରୁ ଚତୁର୍ଭୁଜ ପଳାଇ ଯାଇଥିଲା ଏବଂ ସନ୍ଧ୍ୟା ସମୟରେ ଚତୁର୍ଭୁଜ ଏକ ଖଣ୍ଡା ଧରିବା ସହ ତାର ବାପା ଟାଙ୍ଗିଆ ଧରି ନର ଘର ଆଗରେ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହି ସମୟରେ ନରଙ୍କ ୨୫ ବର୍ଷୀୟ ପୁଅ ଚିକୁନ୍ ମାଝୀ ଆସି ପହଞ୍ଚି ଥିଲେ । ଚତୁର୍ଭୁଜ ଉତ୍ୟକ୍ତ ହୋଇ ଚିକୁନ୍ କୁ ଖଣ୍ଡା ରେ ହାଣି ପକାଇଥିଲା । ଚିକୁନ୍ ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ି ଯିବା ପରେ ସ୍ଥାନୀୟ ଲୋକେ ଚିକୁନ୍ କୋଶଳା ଚିକିତ୍ସାଳୟ କୁ ନେଇଥିଲେ। ହେଲେ ଡାକ୍ତର ଚିକୁନ୍ କୁ ମୃତ୍ୟୁ ଘୋଷଣା କରିଥିଲେ। ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ହତ୍ୟା ନେଇ ମାମଲା ରୁଜୁ ହୋଇଥିଲା। ଏହି ହତ୍ୟାକାଣ୍ଡ ଘଟଣାରେ ସରକାରଙ୍କ ପକ୍ଷରୁ ପିପି ପ୍ରଶାନ୍ତ କୁମାର ମଲ୍ଲିକ ଲଢ଼ିଥିଲେ । ୧୪ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଆଜି ଏହି ମାମଲାରେ ଅଭିଯୁକ୍ତ ଚତୁର୍ଭୁଜକୁ ଜିଲ୍ଲା ଓ ଦୌରାଜଜ ଦାମୋଦର ରଥ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୨୦ ହଜାର ଟଙ୍କା ଜୋରିମାନା ରେ ଦଣ୍ଡିତ କରିଛନ୍ତି। ଯଦି ଅଭିଯୁକ୍ତ ଜୋରିମାନା ପୈଠ ନ କରେ ତେବେ ୬ ମାସ ଅଧିକ ଦଣ୍ଡିତ କରାଯିବା ନିର୍ଦ୍ଦେଶ ଦେଇଛନ୍ତି ।
ନୂତନ ଆପରାଧିକ ଆଇନ କାର୍ଯ୍ୟକାରୀ ହେବା ପରେ ଏହା ଅନୁଗୁଳ ଜିଲ୍ଲାର ପ୍ରଥମ ମାମଲା । ଯାହା ତ୍ୱରିତ ତଦନ୍ତ ଓ ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।

