ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମା ଠାରେ ଆଜି ବିଜୁ ଜନତା ଦଳର ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇ ଯାଇଛି । ଏହା ସହ ଜିଲ୍ଲା ପାଇଁ ନୂତନ ଭାବେ ଚୟନ ହୋଇଥିବା ବିଜୁ ଜନତା ଦଳ ଜିଲ୍ଲା ସଭାପତି ବ୍ରଜ କିଶୋର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଅନୁଗୁଳ ଶିମିଳିପଡା ଚର୍ଚ୍ଚ ଲେନରେ ରବିବାର ବିଜୁ ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟାଳୟ ଉଦ୍ଘାଟିତ ହୋଇ ଯାଇଛି । ବିଜୁ ଜନତା ଦଳର ରାଜ୍ୟ ଉପ – ସଭାପତି ଦେବୀ ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ଉପ-ବାଚସ୍ପତି ରଜନୀକାନ୍ତ ସିଂହ , ଆଠମଲ୍ଲିକ ବିଧାୟକ ନଳିନୀ ପ୍ରଧାନ , ପାଲଲହଡାର ପୂର୍ବତନ ବିଧାୟକ ମୁକେଶ ପାଳ , ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା ଆଦି ଅତିଥି ଭାବେ ଯୋଗ ଦେଇଥିଲେ । ଏହା ସହ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ହଜାର ହଜାର କର୍ମୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗତ ୨୪ ବର୍ଷ ହେଲା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ ହୋଇ ରହିଥିଲା । ୨୪ ବର୍ଷ ଶାସନ କାଳରେ ରାଜ୍ୟବାସୀ ନିଜକୁ ବେଶ ସୁରକ୍ଷିତ ଭାବୁଥିଲେ । ବର୍ତ୍ତମାନ ସରକାର ସମୟରେ ଏଥିରେ ବ୍ୟତିକ୍ରମ ଦେଖା ଦେଲାଣି । ସରକାରରେ ଥିବା ଦଳର ନେତା ହୁଅନ୍ତୁ କିମ୍ବା କର୍ମୀ , ସେମାନଙ୍କ ଠାରେ ଔଦ୍ଧତିଆପଣ ଦେଖା ଦେଇଛି । ରାଜ୍ୟରେ ମା ଭଉଣୀ ମାନେ ସୁରକ୍ଷିତ ନାହାନ୍ତି । ଏଭଳି ଦଳକୁ ଲୋକ ନାପସନ୍ଦ କରିବା ଆରମ୍ଭ କଲେଣି । ଏଥିପାଇଁ ଆଜି ଏହ ଉଦଘାଟନ ଉତ୍ସବ ସାଙ୍ଗରେ ଦଳର ସାଂଗଠନିକ ପର୍ବ ଆରମ୍ଭ କରାଗଲା । ଆଉ ଆଗାମୀ ଦିନରେ ଦଳକୁ ପୁଣି ଏକ ନମ୍ବର କରାଯିବ ବୋଲି କହିଛନ୍ତି ନୂତନ ଜିଲ୍ଲା ସଭାପତି ବ୍ରଜ କିଶୋର ପ୍ରଧାନ । ଏହି କଥାକୁ ଦୋହରାଇବା ସହ ଏହି ରଙ୍ଗ ବଦଲା ସରକାର ବେଶୀ ଦିନ ନୁହେଁ ବୋଲି କହିଛନ୍ତି ରାଜ୍ୟ ଉପ ସଭାପତି ଦେବୀ ମିଶ୍ର । ଏଭଳି ସ୍ଥିତିରେ ବିଜେଡି ଚୁପ୍ ହୋଇ ବସିବନି। ମହିଳାଙ୍କ ସୁରକ୍ଷା ପାଇଁ ଦଳ ଲଢ଼େଇ ଜାରି ରଖିବ। ସରକାରଙ୍କ ବିଫଳତାକୁ ଲୋକଙ୍କ ସାମ୍ନାକୁ ଆଣିବ ବୋଲି ଦେବୀ କହିଥିଲେ ।
ଏହି କର୍ମକର୍ତ୍ତା ସମ୍ମିଳନୀକୁ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର କୁମାର ବସ୍ତିଆ ସଂଯୋଜନା କରିଥିଲା ବେଳେ ଯୁବ, ଛାତ୍ର ଓ ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହା ସହ ଜିଲ୍ଲା ପରିଷଦ ସଭାନେତ୍ରୀ ବବିତା ପ୍ରଧାନ, ଅନୁଗୁଳ ନଗରପାଳ ଅକ୍ଷୟ ସାମନ୍ତ, ବିଜେଡି ନେତା ଅବିନାଶ ସାମଲ, ପୂର୍ବତନ ଟାମ୍ଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବିଜେପି ସରକାର ଉପରେ ବର୍ଷିଥିଲେ ।

