କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଭାଲିଆବେଡା ସରକାରୀ ଉ.ପ୍ରା ବିଦ୍ୟାଳୟରୁ ଛାତ୍ର ଚୋରି କରୁଥିବା ସନ୍ଦେହରେ ଗ୍ରାମବାସୀମାନେ ୯ଜଣ ଅଘୋରୀ ବାବାଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି ।
ସୂଚନା ଅନୁସାରେ , ଭାଲିଆବେଡା ସରକାରୀ ଉପ୍ରା ସ୍କୁଲର ଦୁଇ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ସ୍କୁଲ ବାହାରକୁ ପେନ୍ କିଣିବାକୁ ଆସିଥିଲେ । ସେତିକିବେଳେ ଜଣେ ଛାତ୍ରକୁ ଅଘୋରୀ ବାବା ଟାଣି ଗାଡ଼ିରେ ବସେଇବା ବେଳେ ଅନ୍ୟ ଛାତ୍ର ଚିତ୍କାର କରିଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଛାତ୍ରଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଅଘୋରୀ ବାବାଙ୍କ ଦୁଇଟି ଗାଡ଼ି ଓ ୯ ଜଣ ବାବାଙ୍କୁ ଅଟକ ରଖିଥିଲେ । ଏହା ସହ ଗ୍ରାମବାସୀ ମାନେ ବାବା ମାନଙ୍କୁ ରେଙ୍ଗାଲି ପୁଲିସର ଜିମା ଦେଇଛନ୍ତି । ଅଘୋରୀ ବାବା ୯ ଜଣ ମଧ୍ୟପ୍ରଦେଶ ଅଞ୍ଚଳର ବୋଲି ଜଣାପଡିଛି । ରେଙ୍ଗାଳି ପୁଲିସ ଏହା ୯ ଜଣ ଅଘୋରୀ ବାବାଙ୍କୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଏ ନେଇ ଥାନା ଅଧିକାରୀ ଜୟନ୍ତ ମହାନ୍ତିଙ୍କ କହିବା କଥା , ପ୍ରକୃତ ଘଟଣା ଜଣା ପଡି ନାହିଁ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବାବା ମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ତଦନ୍ତ ପରେ ହିଁ ସବୁ କଥା ସ୍ପଷ୍ଟ ହୋଇ ପାରିବ ।

