ସାତକୋଶିଆ ବିସ୍ଥାପନ ପ୍ରକ୍ରିୟାରେ ଓଏଚ୍ଆରସିର ଅଂକୁଶ

ଅନୁଗୁଳ – ଅନୁଗୁଳ ଜିଲ୍ଲାର ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଂଚଳରୁ ସ୍ବେଚ୍ଛାକୃତ ଗ୍ରାମ ବିସ୍ଥାପନ ଯୋଜନାରେ ୨୦୧୮ ମସିହା ଠାରୁ ଆରମ୍ଭ ହୋଇଥିଲା । ପ୍ରଥମେ ବ୍ଯାଘ୍ର ସଂରକ୍ଷଣ ଅଂଚଳର କୋର ଏରିଆ ରୁ ୭୮ ଟି ପରିବାରକୁ ବିସ୍ଥାପନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ୨୦୨୨ ବର୍ଷ ଠାରୁ କୋର ଏରିଆ ବାହାର ଗ୍ରାମ ଏପରିକି ଅଭୟାରଣ୍ଯ ଓ ବ୍ଯାଘ୍ର ପ୍ରକଳ୍ପ ଏରିଆର ବାହାର ଗ୍ରାମକୁ ପର୍ଯ୍ଯାୟକ୍ରମେ ବେଆଇନ୍ ଭାବେ ବିସ୍ଥାପନ କରାଯାଇଥିଲା । କଟରଂଗ, ଟୁଲୁକା, ଭୂର୍କୁଣ୍ଡି, ଅଶନବାହାଳ ସଂପୂର୍ଣ୍ଣ ବିସ୍ଥାପନ କରାଯାଇଥିବା ବେଳେ ଗୋପାଳପୁର, ଟିକରପଡା ଗ୍ରାମରୁ ଅଧା ଲୋକଙ୍କୁ ଉଠାଇବାରେ ବନ ବିଭାଗ ସକ୍ଷମ ହୋଇଥିଲା । ପୁରୁଣାକୋଟ୍ , ଛୋଟକେଇ , ସାଲର , ମଝିପଡା ଗ୍ରାମକୁ ଉଠାଇବାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ସାତକୋଶିଆ ଅଂଚଳର ଗ୍ରାମବାସୀ ବନ ବିଭାଗ ବେଆଇନ୍ ବିସ୍ଥାପନ ସମ୍ବନ୍ଧରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଗ୍ରାମବାସୀଙ୍କର ଅଭିଯୋଗକୁ ଶୁଣା ଯାଇ ନ ଥିଲା ।

ଗାଁ ରେ ଭୂମିହୀନ, ଗରିବ, ଘର ନ ଥିବା ଲୋକଂକୁ ଉସୁକାଇ ଏବଂ ୨୦ ଲକ୍ଷ ପ୍ଯାକେଜ୍ ର ପ୍ରଲୋଭନ ଦେଖାଇ ବନ ବିଭାଗ ଗାଁ ଗୁଡିକୁ ବିଭାଜନ ନୀତିରେ ଦୁଇ ଭାଗ କରି ବିସ୍ଥାପନ କରିଵାକୁ ଚେଷ୍ଟା କରିଥିଲା ।  ଯେଉଁ ମାନେ ବିସ୍ଥାପନକୁ ବିରୋଧ କରିଥିଲେ ସେମାନଂକୁ କ୍ଷତିପୂରଣ ଦେବାରୁ ବଂଚିତ କରିଥିଲେ । ସ୍ବେଚ୍ଛାକୃତ ଗ୍ରାମ ବିସ୍ଥାପନ ଯୋଜନା କେବଳ ବ୍ଯାଘ୍ର ପ୍ରକଳ୍ପର କୋର ଏରିଆରୁ ଆଇନଗତ ବ୍ଯବସ୍ଥା ଥିଲେ ମଧ୍ଯ କୋର ଏରିଆ ବାହାରୁ ବେଆଇନ୍ ଭାବେ ଗ୍ରାମ ଗୁଡିକୁ ଉଠାଯାଇଥିଲା । ସରକାରୀ ନୀତି ନିୟମ ଓ ଗାଇଡଲାଇନ୍ କୁ ଉପେକ୍ଷା କରି ମନଇଛା ସର୍ଭେ କରାଯାଇ କୋଟି କୋଟି ଟଙ୍କା ସପକ୍ଷବାଦୀଙ୍କୁ ପ୍ରଦାନ କରାଯାଇଥିଲା । ଭୂର୍କୁଣ୍ଡି ଗ୍ରାମରେ ଆଦୌ ଗ୍ରାମସଭା ହୋଇନଥିବା ବେଳେ ଗ୍ରାମବାସୀଙ୍କୁ ଜୋରଜବରଦସ୍ତ ଧମକାଇ ବାସଚ୍ଯୁତ କରାଯାଇଥିଲା । ଏପରିକି ଗ୍ରାମବାସୀଙ୍କର ରହିଥିବା ଜଙ୍ଗଲ ଜମି ସ୍ବତ୍ବର କୌଣସି କ୍ଷତିପୂରଣ ଦିଆଯାଇନାହିଁ । ଗ୍ରାମ ବିସ୍ଥାପନ ସମ୍ବନ୍ଧୀୟ ଜାତୀୟ ବ୍ଯାଘ୍ର ସଂରକ୍ଷଣ କର୍ତ୍ତୂପକ୍ଷଙ୍କ ଦ୍ବାରା ଜାରୀ ହୋଇଥିବା ପ୍ରୋଟକଲର ରହିଥିବା ୨ ପ୍ରକାରର କ୍ଷତିପୂରଣ ବ୍ଯବସ୍ଥା ସମ୍ବନ୍ଧରେ ଗ୍ରାମବାସୀଂକୁ ଅବଗତ କରାଯାଇ ନଥିଲା । ଭୂମିହୀନ, ଘର ନଥିବା ଏବଂ ଭଲ ଘର ନ ଥିବା ଲୋକ ମାନଂକୁ ୨୦ ଲକ୍ଷ ଦେଇ ଉଠିଯିବାକୁ ବାଧ୍ଯ କରାଯାଇଥିଲା । ଗ୍ରାମ ବିସ୍ଥାପନ ନେଇ ଗାଁ ରେ କୋକୁଆ ଭୟ ସୃଷ୍ଟି କରାଯାଇ ଜୋରଜବରଦସ୍ତ କରାଯାଇଥିଲା । ବିସ୍ଥାପିତ ପରିବାର ତାଲିକା ଲୁଚାଛପାରେ ହୋଇଥିଲା । ଟୁଲୁକା ଗ୍ରାମବାସୀ ବିସ୍ଥାପନକୁ ଦୃଢ ବିରୋଧ କରି ଗ୍ରାମସଭାରୁ ଉଠି ଯାଇଥିଲେ ସୁଦ୍ଧା ଗ୍ରାମକୁ କଳେବଳେ ବିସ୍ଥାପନ କରାଯାଇଥିଲା । ଅନ୍ଯପକ୍ଷରେ ଏହି ସବୁ ଅଂଚଳରେ ଅଧିକାଂଶ ଆଦିବାସୀ ଓ ହରିଜନ ପରିବାର ରହିଥିବା ବେଳେ ସେମାନଙ୍କର ସରଳତାକୁ ବିଶ୍ବାସଘାତକତା କରାଯାଇଥିଲା । ଜଙ୍ଗଲ ଅଧିକାର ଆଇନ୍-୨୦୦୬ ର ଥିବା ବ୍ଯବସ୍ଥାରେ ଉଭୟ ବ୍ଯକ୍ତିଗତ ଜଙ୍ଗଲ ଅଧିକାର ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାରର ସ୍ବୀକୃତି ଦିଆ ନ ଯାଇ ଗ୍ରାମ ଗୁଡିକୁ ବେଆଇନ୍ ବିସ୍ଥାପନ କରାଯାଇଥିଲା । ଟୁଲୁକା, ଭୂର୍କୁଣ୍ଡି, ଅଶନବାହଳ ଗ୍ରାମବାସୀ ବିସ୍ଥାପନରେ ସଠିକ୍ ସର୍ଭେ ହୋଇ ନ ଥିବା ଏପରିକି ଘରଦ୍ବାର, ଜମି, ଗୁହାଳର କୌଣସି ସର୍ଭେ ହୋଇ କ୍ଷତିପୂରଣ ଦିଆଯାଇ ନଥିବା ସହିତ ଥଇଥାନ ଓ ପୁନବସତି ସଠିକ ହୋଇ ନଥିବା ନେଇ ଓଡିଶା ମାନବ ଅଧିକାର ଆୟୋଗଙ୍କ ନିକଟରେ ମାମଲା ରୁଜୁ କରିଥିଲେ । ଗୋପାଳପୁର ଗ୍ରାମବାସୀ ବେଆଇନ୍ ବିସ୍ଥାପନ ନେଇ ୩ ଗୋଟି ମାମଲା ରୁଜୁ କରିଥିବା ବେଳେ ୩୦ ରୁ ଅଧିକ ବିସ୍ଥାପିତ ପରିବାର କ୍ଷତିପୂରଣ ପାଇନଥିବା ନେଇ କେସ୍ ରୁଜୁ କରିଥିଲେ । ଓଡିଶା ମାନବ ଅଧିକାର ଆୟୋଗଂକର ଅଧ୍ଯକ୍ଷ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାରୀ ୩୭ ଟି କେସ୍ ର ବିଚାର ଗତ ୯ ତାରିଖରେ କରିଥିବା ଜଣାଯାଇଅଛି । ଗ୍ରାମବାସୀଙ୍କ ଅଭିଯୋଗ ମୂଳକ ଶୁଣାଣୀରେ ପ୍ରଧାନ ମୁଖ୍ଯ ବନସଂରକ୍ଷକ ( ବନ୍ଯଜୀବ) ଓଡିଶା, ଆଂଚଳିକ ମୁଖ୍ଯ ବନ ସଂରକ୍ଷକ ଅନୁଗୁଳ , ଜିଲ୍ଲାପାଳ ଅନୁଗୁଳ ଏବଂ ଡିଏଫଓ ସାତକୋଶିଆ ଏବଂ ଅନ୍ଯାନ୍ଯ ଅଧିକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା । ଗ୍ରାମବାସୀ ଅଭିଯୋଗକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ତଥା ମାନବ ଅଧିକାର କର୍ମୀ ପ୍ରସନ୍ନ କୁମାର ବେହେରା ମକଦ୍ଦମା ପରିଚାଳନା କରିଥିଲେ । ଉଭୟ ପକ୍ଷଙ୍କ ସାକ୍ଷ୍ଯ ପ୍ରମାଣ ଓ ବିସ୍ଥାପନ ସମ୍ବନ୍ଧୀୟ କାଗଜପତ୍ର ଆୟୋଗଙ୍କ ନିକଟରେ ଦାଖଲ କରାଯାଇଥିଲା ।

ଜିଲ୍ଲାସ୍ତରୀୟ କମିଟିର ରେଜୁଲେସନ ସହିତ ସର୍ଭେ ତାଲିକା ସମସ୍ତ କାର୍ଯ୍ଯଧାରାରେ ବ୍ଯାପକ ଅନିୟମିତତା ଓ ଗାଇଡଲାଇନ ଆଧାରରେ ହୋଇ ନଥିଲା । ମାନ୍ଯବର ଆୟୋଗ ଅଧ୍ଯକ୍ଷ ଜଷ୍ଟିସ୍ ଶତ୍ରୁଘ୍ନ ପୂଜାରୀଂକ ଅର୍ଡର ଅନୁଯାୟୀ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ରହିଅଛି । ଏହି କମିଟିରେ ବନ ବିଭାଗର ସଚିବ, ଅନୂସୁଚିତଜାତି ଓ ଜନଜାତି ବିଭାଗ ସଚିବ , ଆଇନ ବିଭାଗ ସଚିବ, ରାଜସ୍ବ ବିପର୍ଯ୍ଯୟ ପରିଚାଳନା ବିଭାଗ ସଚିବ ସହିତ ଜଣେ ପାରଦର୍ଶିତାପୂର୍ଣ୍ଣ ବିଶେଷଜ୍ଞ ରହିବାକୁ ନିର୍ଦ୍ଦେଶ ରହିଅଛି । ମୁଖ୍ଯ ଶାସନ ସଚିବଙ୍କ ଦ୍ବାରା କମିଟିର ଅଧ୍ଯକ୍ଷ ସ୍ଥିରିକୃତ ହେବ । ଏହି ଉଚ୍ଚସ୍ତରୀୟ ତଦନ୍ତ କମିଟି ୬ ସପ୍ତାହ ମଧ୍ଯରେ ଗଠନ ହେବା ସହିତ ୬ ମାସ ମଧ୍ଯରେ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଅଛି । ଅନୁରୂପ ଭାବରେ ଯେଉଁ ଅଧିକାରୀ ବିସ୍ଥାପନ ପ୍ରକ୍ରିୟାରେ ଅନିୟମିତତା ଓ ବେଆଇନ୍ କାର୍ଯ୍ଯ କରିଛନ୍ତି ତାଂକୁ ଶୃଂଖଳାଗତ କାର୍ଯାନୁଷ୍ଠାନ ଗ୍ରହଣ କରିବା ଓ ଆଇନ ଅନୁଯାୟୀ କାର୍ଯ୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ରହିଅଛି । ତତକାଳୀନ ସାତକୋଶିଆ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା ବିସ୍ଥାପନ କମିଟିର ସଭ୍ଯ ସଂପାଦକ ଥିବା ବେଳେ ଜାଣିଶୁଣି ବିସ୍ଥାପନରେ ବ୍ଯାପକ ଅନିୟମିତତା , ଜାଲିଆତି, ବେଆଇନ କାର୍ଯ୍ଯ କରିଥିବା ଏବଂ ଜିଦଖୋର୍ ରହି ଜୋରଜବରଦସ୍ତ ବିସ୍ଥାପନ କରିଥିବା ସହିତ ବିସ୍ଥାପନ ବିରୋଧୀ ପରିବାରକୁ କ୍ଷତିପୂରଣ ଦେଇ ନ ଥିବାକୁ ସାତକୋଶିଆ ଅଭୟାରଣ୍ଯ ପ୍ରଜା ସୁରକ୍ଷା ସମିତିର ସଭାପତି ନବ କିଶୋର ବିଶୋଇ ପ୍ରକାଶ କରିଛନ୍ତି । ଓଡିଶା ମାନବ ଅଧିକାର ଆୟୋଗଙ୍କ ପକ୍ଷରୁ ସାତକୋଶିଆର ବିସ୍ଥାପନର ୩୭ ଟି କେସର ବିଚାର କରାଯାଇଥିବା ଏବଂ ବିସ୍ଥାପନକୁ ସ୍ଥଗିତ ରଖାଯିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବାକୁ ଅଂଚଳବାସୀ ନ୍ଯାୟ ପାଇଥିବା ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page