କାର ଧକ୍କାରେ ଜଣେ ମୃତ ଜଣେ ଗୁରୁତର


ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ -ସମ୍ବଲପୁର ୫୫ ନଂ ଜାତୀୟ ରାଜପଥରେ କୁମୁରସିଙ୍ଗ ନିକଟରେ ବୁଧବାର ଅପରାହ୍ନରେ ଏକ କାର ଧକ୍କାରେ ଦୁଇଜଣ ମୋଟରସାଇକେଲ ଆରୋହି ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ କଟକ ସ୍ଥାନାନ୍ତର ବେଳେ ବାଟରେ ମୃତ୍ୟୁ ହୋଇଛି ।

ପୋଲିସ ସୂଚନା ଅନୁସାରେ ଅପରାହ୍ନ ସାଢେ ୨ ଟାରେ କୁମୁରସିଙ୍ଗ ଗ୍ରାମର କାହ୍ନୁଚରଣ ସାହୁ(୩୫) ଓ ରାକେଶ ରୋଶନ ମହାପାତ୍ର(୩୨) ଲକ୍ଷ୍ମୀପୂଜା ମଣ୍ଡପରୁ ଓଡ଼ି-୧୯-ପି-୫୪୯୧ ନଂ ମୋଟରସାଇକେଲରେ ରାସ୍ତା ପାରି ହେଉଥିବା ବେଳେ ସମ୍ବଲପୁର ଅଞ୍ଚଳର ସନ୍ତୋଷ ପ୍ରଧାନ ପରିବାର ଲୋକଙ୍କୁ ନେଇ ଅନୁଗୁଳରୁ ସମ୍ବଲପୁର ଆଡକୁ (ଓଡ଼ି-୧୯-ଏକ୍ସ-୩୪୦୧) କାରରେ ଯାଉଥିବା ବେଳେ ମୋଟରସାଇକେଲକୁ ଧକ୍କା ଦେଇଥିଲା । କାର ଧକ୍କାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପଡି ଯାଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ l ସେଠାରେ ଅବସ୍ଥା ଗୁରୁତର ହେବାରୁ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା । ତେବେ ବାଟରେ କାହ୍ନୁଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ତ କାର ଓ ମୋଟରସାଇକେଲ ଜବତ କରି ଘଟଣାର ତଦନ୍ତ ଚଳେଇଥିବା ବେଳେ କାରରେ ବସିଥିବା ଯାତ୍ରୀ ୨ ଜଣ ସାମାନ୍ୟ ଆହତ ହୋଇଥିବା ଥାନା ଅଧିକାରୀ ମନୋଜ ପ୍ରଧାନ ପ୍ରକାଶ କରିଛନ୍ତି l

Advertisement

Leave a Reply

Your email address will not be published. Required fields are marked *