ଅନୁଗୁଳ – ସରକାରଙ୍କ ନୁଆଁ କଟକଣା ଏବେ ସମସ୍ତ ସାଧାରଣବର୍ଗ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଥିବା ବେଳେ ଅସାଧୁ ବେପାରୀଙ୍କୁ ବେଶ ସୁହାଇଛି । ସରକାର ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ନେଇ ପାରିବେ ନାହିଁ ବୋଲି ଯେଉଁ କଟକଣା ଲାଗୁ କରିଛନ୍ତି ଏହା ପରେ ଏଭଳି ପରିସ୍ଥିତି ଉପୁଜିଛି । ଏହାର ଫାଇଦା ନେଇ ଛୋଟ ଛୋଟ ବଜାର , ଗାଁ ଗହଳିରେ ପେଟ୍ରୋଲ ଦର ଲିଟର ପିଛା ୧୨୦ , ୧୩୦ ଟଙ୍କାରେ ବିକ୍ରି ଆରମ୍ଭ ହୋଇଛି ।

ସୂଚନା ଅନୁସାରେ ସରକାର ପେଟ୍ରୋଲ ଟାଙ୍କିରୁ ପ୍ଲାଷ୍ଟିକ ବୋତଲରେ ତେଲ କେହି ନେଇ ପାରିବେ ନାହିଁ ବୋଲି କଟକଣା କରିଛନ୍ତି । ତେବେ ଯେଉଁ ସବୁ ଅଞ୍ଚଳରେ ପେଟ୍ରୋଲ ପମ୍ପ ନାହିଁ , ସେହି ଅଞ୍ଚଳର ଗାଡି ଚାଳକ କିମ୍ବା ଗାଁ ଗହଳିର ଲୋକେ ଖୁଚୁରା ବ୍ୟବସାୟୀଙ୍କ ଉପରେ ନିର୍ଭର କରିଥାନ୍ତି । ଏହି ଖୁଚୁରା ବ୍ୟବସାୟୀ ମାନେ ମୁଖ୍ୟତଃ ବୋତଲରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣି ବିକ୍ରି କରିଥାନ୍ତି। ହେଲେ ସରକାରଙ୍କ କଟକଣା ପରେ ସେମାନେ ବୋତଲରେ ତେଲ ଆଣି ପାରୁ ନାହାଁନ୍ତି । ଅନ୍ୟପଟେ ଅନେକ ପେଟ୍ରୋଲ ପମ୍ପରେ ଜାରକିନରେ ମଧ୍ୟ ତେଲ ଦବୁ ନାହାନ୍ତି । ଯାହା ଫଳରେ ଏହି ଖୁଚୁରା ବ୍ୟବସାୟୀ ମାନେ ଏବେ ଲୁଚାଛପାରେ କିଛି ପେଟ୍ରୋଲ ପମ୍ପରୁ ତେଲ ଆଣୁଛନ୍ତି , ନଚେତ ମୋଟରସାଇକେଲର ଟାଙ୍କିରେ ତେଲ ଭର୍ତ୍ତି କରି ଘରେ ପୁଣି ପ୍ଲାଷ୍ଟିକ ବୋତଲରେ ରଖି ବିକ୍ରି କରୁଛନ୍ତି । ତା ପୁଣି କଟକଣା ଭିତରେ ଲୁଚାଛପାରେ । ଆଉ ଏହାକୁ ସେମାନେ ଉଚ୍ଚା ଦରରେ ମଧ୍ୟ ବିକ୍ରି କରୁଛନ୍ତି । କେଉଁଠି ୧୨୦ ଟଙ୍କା ପ୍ରତି ବୋତଲ ବିକ୍ରି କରୁଛନ୍ତି ତ କେଉଁଠି ୧୩୦ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ସରକାରଙ୍କ ଏଭଳି କଟକଣା ପରେ ଏବେ ସାଧାରଣ ଲୋକ ଶୋଷଣର ଶିକାର ହେଉଥିବା ବେଳେ ଅସାଧୁ ବ୍ୟବସାୟୀଙ୍କ ପାଇଁ ଟଙ୍କା ରୋଜଗାର ପାଇଁ ଏକ ଭଲ ସୁଯୋଗ ଆଣି ଦେଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି ।

