ଛେଣ୍ଡିପଦା – ଅନଗୁଳ ଜିଲ୍ଲା ବାଗଡିଆ ଥାନା ବାଗଡିଆ ଗାଁରେ ଗୋଷ୍ଠୀ ସଂଘର୍ଷକୁ ନେଇ ଉଭୟ ଗୋଷ୍ଠୀର ୬ ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ମାନେ ହେଲେ ବାଗଡିଆ ଗ୍ରାମର ରାଜା ବେହେରା, ପ୍ରତୀକ ବେହେରା, ରାହୁଲ ବେହେରା, ରାମଚନ୍ଦ୍ର ବେହେରା, ଅମୀୟ ଗୋଛାୟତ ଓ ହିତୁ ଗୋଛାୟତ ।
ପୁଲିସ ସୂତରୁ ମିଳିଥିବା ସୂଚନା ଅନୁସାରେ, ଦୁର୍ଗାପୂଜା ବିଜୟା ଦଶମୀରେ ଖଣ୍ଡାଖେଳକୁ ଦୁଇ ଗୋଷ୍ଠୀ ମଧ୍ୟରେ ମଧ୍ୟରେ ଝଗଡା ହୋଇଥିଲା । କାରଣ ଅଷ୍ପଷ୍ଟ ରହିଥିବା ବେଳେ ପୁଣି ଥରେ ଶନିବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ବାଗଡିଆର ମିଲୁ ଗୋଛାୟତଙ୍କ ମୁଣ୍ଡରେ ମାଡ଼ ବାଜି ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ବାଗଡିଆ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଗୁରୁତରଙ୍କୁ ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୁଳ ଓ ପରେ କଟକ ସ୍ଥାନାନ୍ତର କରିଛନ୍ତି ।
ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଏ ନେଇ ବାଗଡିଆ ଥାନା ପକ୍ଷରୁ ଦୁଇ ପ୍ଲାଟୁନରୁ ଉର୍ଦ୍ଧ ପୋଲିସ ଫୋର୍ସ ମୁତୟନ କରିବା ସହିତ ଛେଣ୍ଡିପଦା, ଜରପଡା ଓ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ବିଳମ୍ବିତ ରାତିରେ ଚଢ଼ାଉ କରି ଦୁଇ ଗୋଷ୍ଠୀର ୧୧ ଜଣଙ୍କୁ ଉଠାଇ ନେଇଥିଲେ । ଏନେଇ ବାଗଡିଆ ଥାନାରେ ଦୁଇ ଗୋଷ୍ଠୀର ହିତୁ ଗୋଛାୟତ ଓ ରାହୁଲ ବେହେରା ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ବାଗଡିଆ ଥାନାରେ ଯଥାକ୍ରମେ ୨୯୯/୨୫ ଓ ୨୩୦/୨୫ରେ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ଉଭୟ ଗୋଷ୍ଠୀର ରାଜା ବେହେରା, ପ୍ରତୀକ ବେହେରା,ରାହୁଲ ବେହେରା, ରାମଚନ୍ଦ୍ର ବେହେରା,ଅମୀୟ ଗୋଛାୟତ ଓ ହିତୁ ଗୋଛାୟତଙ୍କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରିଛି । ଏପଟେ ପରିସ୍ଥିତି ଶାନ୍ତ ପଡିବା ପର୍ଯ୍ୟନ୍ତ ପୁଲିସ ଫୋର୍ସ ମୁତୟନ କରାଯିବା ସହିତ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବ ସେଥିପ୍ରତି ନଜର ରଖାଯାଇଥିବା ବାଗଡିଆ ଥାନା ଅଧିକାରୀ ବିପ୍ଳବ ସାହୁ ପ୍ରକାଶ କରିଛନ୍ତି ।

