ଅନୁଗୁଳ – ଆଜି ବାଲେଶ୍ୱର ଏଫ ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁର ନ୍ୟାୟିକ ତଦନ୍ତ ଏବଂ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆ ଯାଇଥିଲା । ଯାହା ଫଳରେ ଦୋକାନ ବଜାର ତ ବନ୍ଦ ରହିଥିଲା , ଏହା ସହ ମୁଖ୍ୟ ରାସ୍ତା ଗୁଡିକରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା । ଏଥିପାଇଁ , ବନ୍ଦରୁ ବର୍ତ୍ତିବା ପାଇଁ ଓଡିଶା ବୁଲିବା ପାଇଁ ଆସିଥିବା ଛତିଶଗଡ଼ର କିଛି ଯୁବକ ନିଜ ଗାଡ଼ିରେ ପୁଲିସ ଲେଖି ଯାଉଥିବା ବେଳେ ବନ୍ତଳା ପୁଲିସ ହାବୁଡ଼ରେ ପଡି ଅଟକ ଅଛନ୍ତି ।

ସୂଚ଼ନା ଅନୁସାରେ ଛତିଶଗଡ଼ ବିଲାଶପୁର ଅଞ୍ଚଳର ୭ ଜଣ ଛାତ୍ର ପୁରୀ ବୁଲି ପାଇଁ ଏକ ଘରୋଇ ସ୍କୋର୍ପିୟ (CG 10 BU 3445) ନେଇ ଯାଇଥିଲେ । ଆଜି ଓଡିଶା ବନ୍ଦ ଥିବା ବେଳେ ସେମାନେ ପୁରୀରୁ ବିଳାଶପୁର ଅଭିମୁଖେ ଫେରୁଥିଲା ବେଳେ ଗାଡ଼ିରେ ପୁଲିସ ଲୋଗୋ ଲଗାଇଥିଲେ । ବଡ଼କରା ଛକଠାରେ ବନ୍ତଳା ପୁଲିସ ଏହି ବୋର୍ଡ ଦେଖି ସେମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲେ । ଛାତ୍ରମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ବାପା ଛତିଶଗଡ଼ ପୁଲିସରେ କାମ କରୁଥିବା ଜଣା ପଡ଼ିଥିଲା । ଆଉ ସେମାନେ ବନ୍ଦ ପ୍ରଭାବରୁ ବର୍ତ୍ତିବା ପାଇଁ ଗାଡିରେ ଥିବା ପୁଲିସ ଲୋଗୋକୁ ବ୍ୟବହାର କରିଥିଲେ ବୋଲି ବନ୍ତଳା ପୁଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏନେଇ ଗାଡି ସହ ସମସ୍ତ ଛାତ୍ରଙ୍କୁ ବନ୍ତଳା ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

