ପାହାଡରୁ ଭୁସ୍ଖଳନ ହୋଇ ରାସ୍ତା ବନ୍ଦ – ଯୁବଗୋଷ୍ଠୀ ନିଜ ଉଦ୍ୟମରେ ଉଠାଇଲେ ମାଟି

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ଦେବୀନଗର ପାହାଡ଼ରୁ ଅତଡ଼ା ଖସି ପାତ୍ରପଡ଼ାର ପର୍ଯ୍ୟଟନସ୍ଥଳ ମା ବାୟାଣୀ ପୀଠରୁ ହଣ୍ଡପା ୫୫ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ହୋଇ ଯାତାୟାତ ଠପ ହୋଇଛି ।

ସୂଚନା ଅନୁସାରେ , ବ୍ଳକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ପାତ୍ରପଡାର ମା’ବାୟାଣୀ ପୀଠରୁ ହଣ୍ଡପାର ଅନୁଗୋଳ- ସମ୍ବଲପୁର ୫୫ନଂ ଜାତୀୟ ରାଜପଥକୁ ସଂଯୋଗ କରୁଅଛି । କିଛିଦିନ ହେଲା ଲଗାଣ ବର୍ଷା ହେତୁ ପାତ୍ରପଡା ମା’ବାୟାଣୀ ପୀଠ ପାଖରେ ଥିବା ଫ୍ରାକ୍ସନ ନିକଟରେ ଦେବୀନଗର ପାହାଡରୁ ଭୂଷ୍କଳନ ହୋଇ ରାସ୍ତାରେ ୫ ଫୁଟରୁ ଅଧିକ ଉଚ୍ଚର ମାଟି ଅତଡା ଖସି ଗଦା ହୋଇ ରହିଥିଲା । ଫଳରେ ରାସ୍ତାଟି ବନ୍ଦ ହୋଇଯିବା ସହ ଉଭୟ ପାଶ୍ୱରୁ ଯାତାୟତ ଠପ ହୋଇଯାଇଥିଲା । ରାସ୍ତା ବନ୍ଦ ହୋଇଯିବା ପରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ । ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ବନ୍ଦ ହୋଇ ରହିବା ସତ୍ୱେ କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀଙ୍କର ସେଠାରେ ଦେଖା ନଥିଲା । ଖବର ଜାଣି ସୁଦ୍ଧା ଗୋଷ୍ଠୀ ଉନ୍ନୟନ ଅଧିକାରୀ , ବନ ବିଭାଗ , ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଘଟଣା ସ୍ଥଳକୁ ଯାଇ ନଥିଲେ କି କୌଣସି ବ୍ୟବସ୍ଥା ମଧ୍ୟ କରି ନଥିଲେ । ଉଭୟ ପାର୍ଶ୍ଵରୁ ଆସୁଥିବା ଲୋକ ବହୁ ଅସୁବିଧା ଭୋଗ କରିଥିଲେ । ଏପରିସ୍ଥଳେ ଆଗକୁ ଆସିଥିଲେ ପାତ୍ରପଡା ଗାଁର କିଛି ଯୁବକ । ସେମାନେ ଆଜି ସକାଳୁ ଏକ ଜେସିବି ମେସିନ ମଗାଇ ନିଜସ୍ୱ ଉଦ୍ୟମରେ ମାଟି ହଟେଇବା କାମ ଆରମ୍ଭ କରିଥିଲେ । ଗାଁର ସମାଜସେବୀ ହିମାଂଶୁ ସ୍ୱାଇଁ, ଘନଶ୍ୟାମ ସାହୁ, ଶାନ୍ଟୁନୁ ସାହୁ,ସମିତିସଭ୍ୟ ଦିପକ କୁମାର ସାହୁଙ୍କ ସମେତ ପାତ୍ରପଡା ଗ୍ରାମର ବହୁ ଯୁବ ଗୋଷ୍ଠୀ ଜେସିବି ମେସିନ ଓ ଟ୍ରାକ୍ଟର ଆଣି ରାସ୍ତାରେ ପଡିଥିବା ମାଟିକୁ ଉଠାଇ ରାସ୍ତାରୁ ହଟାଇଥିଲେ । ରାସ୍ତାରୁ ମାଟି ହଟିବା ପରେ ଯାତାୟତ ସ୍ୱଭାବିକ ହୋଇଥିଲା । ପ୍ରକାଶ ଥାଉକି ପାତ୍ରପଡା ଠାରୁ ହଣ୍ଡପା ପର୍ଯ୍ୟନ୍ତ ପୁର୍ତ ବିଭାଗର ରାସ୍ତା ଥିବାବେଳେ ମାଟି ଅତଡା ଖସିଥିବା ସ୍ଥାନରେ ମାତ୍ର ୧୫୦ମିଟର ଜଙ୍ଗଲ ଜମି ଥିବାରୁ ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ହୋଇପାରୁନାହିଁ କି ପିଚୁ ମଧ୍ୟ ପଡିପାରୁନାହିଁ । ତେଣୁ ଏହି ୧୫୦ମିଟର ରାସ୍ତରେ ଯାତାୟତ ଅତ୍ୟନ୍ତ ବିପଦ ପୂର୍ଣ୍ଣ ରହିଥାଏ। ପୁର୍ବରୁ ମଧ୍ୟ ଅନୁରୁପ ଭାବେ ୨ଥର ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଯାଇଥିଲା । ଏହି ରାସ୍ତାରେ ପ୍ରାୟ ୩ଟି ଜିଲ୍ଲାର ଜନସାଧାରଣ ଓ ଯାନବାହନ ଦୈନନ୍ଦିନ ଶହଶହ ସଂଖ୍ୟାରେ ଚଳାଚଳ କରୁଥିବାବେଳେ ଏହି ରାସ୍ତାରେ ସମସ୍ତେ ବହୁ ହଇରାଣ ହରକତ ହେଉଥିବା ଜଣାପଡିଛି । ତେଣୁ ଏହିପରି ବାରମ୍ବାର ମାଟି ଅତଡା ଖସିବା,ଖାଲଖମା ଇତ୍ୟାଦି ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତୁରନ୍ତ ମରାମତି କରିବା ସହ ଗାର୍ଡୱାଲ ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Advertisement

Leave a Reply

Your email address will not be published. Required fields are marked *