ହାଇୱେ ଡକାୟତି ଯୋଜନାକୁ ଭଣ୍ଡୁର କରିଲା ପୁଲିସ – ଡକାୟତ ଗ୍ୟାଙ୍ଗ ଗିରଫ , ୪ଟି ଦେଶୀ ପିସ୍ତଲ ଜବତ

ଅନୁଗୁଳ – ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ କରିବାକୁ ପୁଲିସ ଜିରୋ ଟୋଲେରାନ୍ସ ମୁଡ ଆଭିମୁଖ୍ୟ ରେ ଅଗଷ୍ଟ ୧ ତାରିଖରୁ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି । ବିଭିନ୍ନ ପ୍ରକାର ଅପାରାଧ ଓ ଅପରାଧି ସହ ହାଇୱେ ଲୁଟେରାଙ୍କ ପ୍ରତି ତୀକ୍ଷ୍ଣ ନଜର ରଖିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଧେଶ କ୍ରମେ ଅନୁଗୁଳ ଏସଡିପିଓ ଉମାକାନ୍ତ ମହାଳିକଙ୍କ ତତ୍ୱାବଧାନରେ ଏବଂ ଅନୁଗୁଳ ଟାଉନ ଥାନା ଆଇ ଆଇ ସି ଧୀରେଶ ଦାସଙ୍କ ନେତୃତ୍ୱରେ ଏକ ବଡ଼ ଧରଣର ଡକାୟତ ଗ୍ୟାଙ୍ଗକୁ ପୁଲିସ ଧରିବାରେ ସଫଳ ହୋଇଛି ।

ଦୁଇଟି ଚାରିଚକିଆ ଗାଡ଼ିରେ ୮ଜଣ ଦୁର୍ବୃତ୍ତ ହାଇୱେରେ ଡକାୟତି କରିବାକୁ ଯୋଜନା କରି ଯାଉଥିବା ବେଳେ ପୁଲିସର ରାତ୍ରି ପାଟ୍ରୋଲିଂ ଟିମ ହାବୁଡ଼ରେ ପଡ଼ିଥିଲେ । ପୁଲିସ ସେମାନଙ୍କୁ ପିଛା କରି ଶେଷରେ ଧରିବାରେ ସକ୍ଷମ ହୋଇଛି । ଗିରଫ ହୋଇଥିବା ଦୁର୍ବୃତ୍ତ ମାନେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁର ପାର୍ଥ ସାରଥୀ ପ୍ରଧାନ ,ବବୁଲ ପ୍ରଧାନ ,ଦିଲୀପ ସାହୁ ,ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହୁଲସୁରିଙ୍ଗା ଘାସିସାହିର ସୁଜାଲ ଓରଫ ବୁଦ୍ଧ ମୁଖୀ ଏବଂ ଘୁଞ୍ଚାପାଳ ଗାଁ ର ସୌମ୍ୟ ଓରଫ ସମୟ ନାଏକ , ବନ୍ତଳା ଥାନା ଅନ୍ତର୍ଗତ କଲେଇପଦା ଗାଁ ର ତନ୍ମୟ ନାଏକ ଓରଫ ମଣ୍ଟୁ ଏବଂ ମାଣପୁର ଗାଁ ର ସିଲୁ ଓରଫ ଜଗନ ନାଏକ ,ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପୋଡାପଡା ଗାଁ ର ମିଲନ୍ ଓରଫ ରୁଦ୍ର ନାରାୟଣ ଭୁତିଆ ବୋଲି ଆଜି ଅପରାନ୍ହ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ ଡି ପି ଓ ଶ୍ରୀ ମହାଳିକ ସୂଚନା ଦେଇଛନ୍ତି ।

ପୁଲିସ ସୂଚନା ମୁତାବକ ଅନୁଗୁଳ ଟାଉନ ଥାନା ପୁଲିସ ୮ ତାରିଖ ରାତ୍ରି ପାଟ୍ରୋଲିଂ ସମୟରେ ଏକ ବିଶ୍ୱସ୍ତ ସୂଚନା ପାଇଲେ ଯେ, ଅଙ୍ଗାରବନ୍ଧର ପାର୍ଥ ସାରଥୀ ପ୍ରଧାନ ଏବଂ ଘୁଞ୍ଚାପାଳର ମାରି ଓରଫ ସମୟ ନାୟକ ସେମାନଙ୍କ ସହଯୋଗୀଙ୍କ ସହିତ ଏକ ଧଳା ରଙ୍ଗର ସ୍କୋର୍ପିଓ ଗାଡି ଯାହାର ରେଜିଷ୍ଟ୍ରେସନ୍ ନମ୍ବର OR02AB-6115 ଏବଂ ଏକ THAR ଗାଡି ଯାହାର ରେଜିଷ୍ଟ୍ରେସନ୍ ନମ୍ବର OD21-E-0018 ରେ ରାତ୍ରିକାଳୀନ ଯାନବାହାନରୁ ଡକାୟତି କରିବା ପାଇଁ  ଭ୍ରମଣ କରୁଛନ୍ତି । ସୂଚନା ପାଇ ପୁଲିସ ପାଟ୍ରୋଲିଂ ଦଳ ଅନୁଗୁଳ ଟାଉନ୍ ଅଞ୍ଚଳରେ ସେମାନଙ୍କୁ ଖୋଜାଖୋଜି କରି ହେମସୁରପଡ଼ା ଛକରେ ସେମାନଙ୍କୁ ପାଇଥିଲା। ପୁଲିସକୁ ଦେଖି ସେମାନେ ରାଜ ହୋଟେଲ ଛକ ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ । ପୁଲିସ ସେମାନଙ୍କୁ ପିଛା କରି ହାଟ ଛକ ନିକଟସ୍ଥ ଅନୁଗୁଳ ର ପୁରୁଣା ଗୋରୁ ହାଟ ଭିତରକୁ ପ୍ରବେଶ କରିଥିବା ସମସ୍ତ ୦୮ ଜଣଙ୍କୁ ଧରିବାରେ ସଫଳ ହେଲା । ଯାଞ୍ଚ ସମୟରେ ଅଭିଯୁକ୍ତମାନେ ଅନେକ ମାମଲାରେ ଜଡିତ ଏବଂ ସଂଗଠିତ ଭାବରେ ସେମାନଙ୍କର ଅସାମାଜିକ କାର୍ଯ୍ୟକଳାପ କରୁଥିବା ଜଣାପଡ଼ିଥିଲା। ସେମାନଙ୍କ ନିକଟରୁ ସମ୍ପୃକ୍ତ ଗାଡ଼ି ସହିତ ଚାରିଟି ଦେଶୀ ନିର୍ମିତ ୭ ଏମଏମ ପିସ୍ତଲ ସହିତ, ଚାରିଟି ୭ ଏମଏମ କେଏଫ ଜୀବନ୍ତ ଗୁଳି, ୨ଟି ଷ୍ଟିଲ୍ ଚାପଡ଼, ଗୋଟିଏ ଲୁହା କୁରାଢ଼ି,ନଗଦ ୭୦୦୦/- ଟଙ୍କା,୭ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା । ଏହି ଡକାୟତ ଗ୍ୟାଙ୍ଗ କୁ ଧରିବାରେ ଆ ଆଇ ସି ଧୀରେଶ ଦାସ ,ଏସଆଇ ଆଶିଷ କୁମାର ସ୍ଵାଇଁ, ଏସଆଇ ଗୋବିନ୍ଦ ଚନ୍ଦ୍ର ସାହୁ, ଏସଆଇ ଆଦିତ୍ୟ କୁମାର ପଟ୍ଟାନାୟକ, ଏଏସଆଇ ଚିତ୍ରସେନ ବିସୋଇଙ୍କ ସମେତ ପୁଲିସ କର୍ମଚାରୀ ମହେଶ ନାୟକ, ଲିଙ୍ଗରାଜ ବେହେରା, ନିଳାମ୍ବର ଦଳବେହେରା, ସଂଗ୍ରାମ କେଶରୀ ମହାପାତ୍ର,ସୁସିଲ ସୁହୁଲା ଏବଂ ସାଗର ବୋଇତା, ବଳରାମ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।

    Advertisement

    Leave a Reply

    Your email address will not be published. Required fields are marked *