ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ କମଳପୁର ଗ୍ରାମରେ ଗୁଳି ମାଡରେ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ କମଳପୁର ଗ୍ରାମର ଲକ୍ଷ୍ମୀଧର ନାଏକଙ୍କ ପୁଅ ସୁରଭି ନାଏକ ବୋଲି ଜଣା ପଡିଛି। ଗୁଳି ମାଡରେ ସୁରଭିଙ୍କ ଅବସ୍ଥା ଗୁରୁତର ହୋଇ ଯାଇଥିଲା। ସୁରଭିଙ୍କ ଦାଦା ପୁଅ କ୍ଷୀରୋଦ ନାଏକ ଗୁଳି ମାରିଥିବା ସୂଚନା ମିଳିଛି । ସୁରଭିକୁ ପ୍ରଥମେ ଆଠମଲ୍ଲିକ ମେଡିକାଲରେ ସ୍ଥାନୀୟ ଲୋକମାନେ ଭର୍ତ୍ତି କରିଥିଲେ। ସେଠାରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ସୂଚନା ଅନୁସାରେ ସୁରଭି ନାଏକଙ୍କ ସ୍ତ୍ରୀ ଗତ କିଛି ଦିନ ହେଲା ଘରୁ କେଉଁଆଡ଼େ ପଳାଇଛନ୍ତି । ପୂର୍ବରୁ ସୁରଭି ତାଙ୍କ ସ୍ତ୍ରୀଙ୍କ ସହ କ୍ଷୀରୋଦଙ୍କ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରୁଥିଲେ । ସ୍ତ୍ରୀ ଚାଲିଯିବା ପରେ ସେ କ୍ଷୀରୋଦଙ୍କୁ ସନ୍ଦେହ କରି ପଚରାଉଚରା କରିଥିଲେ । ଏଥିପାଇଁ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହୋଇଥିଲା । ଏହି ଉଚ୍ଚବାଚ୍ଚ ସମୟରେ କ୍ଷୀରୋଦ ଏକ ବନ୍ଧୁକ ଧରି ସୁରଭିଙ୍କ ଉପରକୁ ଗୁଳି ଚଲାଇଥିଲେ । ସୁରଭିଙ୍କ ଡାହାଣ ପିଠିରେ ଗୁଳି ବାଜିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସମୟରେ ତାଙ୍କ ଦେହରୁ ତିନୋଟି ଗୁଳି ବାହାର କରାଯାଇଥିବା ସୂଚନା ମିଳିଛି । ଖବର ପାଇଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।