ଅନୁଗୁଳ – ଗତ ୧୦ ତାରିଖ ବିଳମ୍ବିତ ରାତିରେ ଅନୁଗୁଳ ଶିକ୍ଷକପଡା ଠାରେ ହୋଇଥିବା ଗୁଳିକାଣ୍ଡ ଘଟଣାର ପର୍ଦାଫାଶ କରିଛି ପୁଲିସ । ଘଟଣାରେ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ କାଟ୍ରିଜ , ୪ ଟି ମୋବାଇଲ ଫୋନ ଏବଂ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି।

ସୂଚନା ଅନୁସାରେ ଅନୁଗୁଳ ଶିକ୍ଷକପଡା ଇକୋ ପାର୍କ ସାମ୍ନାରେ ୧୦ ତାରିଖ ବିଳମ୍ବିତ ରାତିରେ ଏକ ଗୁଳିକାଣ୍ଡ ହେବା ସହ ଗୁଳିମାଡରେ ଭବାନୀ ଶଙ୍କର ପ୍ରଧାନ ଗୁରୁତର ହୋଇଥିଲେ । ତାଙ୍କ ବନ୍ଧୁ ବିଶ୍ଵଜିତ ମିତ୍ରଙ୍କୁ ମଧ୍ୟ ଦୁର୍ବୃତ୍ତ ମାନେ ଲୁହା ରଡରେ ଆକ୍ରମଣ କରି ଆହତ କରିଥିଲେ । ଏହି ଘଟଣାର ତଦନ୍ତ କରି ପୁଲିସ ଖୁଣ୍ଟୁଣି , ରାଜକିଶୋରପଡାର ଦୁଇ ଭାଇ ମାନସ ମଲ୍ଲିକ , ଧର୍ମେନ୍ଦ୍ର ମଲ୍ଲିକ , ସୌଭାଗ୍ୟନଗରର ଦିଲ୍ଲୀପ ମଲ୍ଲିକ ଓ କେନ୍ଦ୍ରାପଡାର ସୁଭମ ରାଉତକୁ ଗିରଫ କରିଛି।
ପୁଲିସ କହିବା ଅନୁସାରେ ବିଶ୍ଵଜିତ ମିତ୍ର ଏକ ଟ୍ରାଭ୍ରଲ ଏଜେନ୍ସି କରିଥିବା ବେଳେ ତାଙ୍କର ଏକ ବସ ସେଦିନ ଇକୋ ପାର୍କ ଆଗରେ ଛିଡା ହୋଇଥିଲା । ବସର ହେଲପର ଗାଡି ଧୋଉଥିବା ପାଣି ରାସ୍ତାକୁ ଯାଉଥିବା ଯୋଗୁଁ ସେହି ରାସ୍ତା ଦେଇ ଯାଉଥିବା ମାନସ ହେଲପରକୁ ପାଟିତୁଣ୍ଡ କରିଥିଲେ । ବିଶ୍ଵଜିତ ବାରଣ କରିବାରୁ ମାନସ ତାର ଭାଇ ଏବଂ ସହଯୋଗୀଙ୍କୁ ସେଠାକୁ ଡାକି ପ୍ରଥମେ ବିଶ୍ୱଜିତଙ୍କୁ ମାଡପିଟ କରିଥିଲେ । ପରେ ଏକ ପିସ୍ତଲରୁ ସେମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଯାହାକି ସେଠାରେ ଥିବା ବିଶ୍ୱଜିତଙ୍କ ବନ୍ଧୁ ଭବାନୀ ଶଙ୍କର ପ୍ରଧାନଙ୍କ ପେଟରେ ବାଜିଥିଲା । ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ସ୍ଥାନୀୟ ଲୋକ ଉଭୟ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହି ଘଟଣାରେ ଚାରି ଅଭିଯୁକ୍ତଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।


