ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପୋଲରମୁଣ୍ଡା ଗ୍ରାମର ନିରୋଦ କୁମାର ସାହୁ ନାମକ କଣ୍ଟ୍ରୋଲ ଦୋକାନୀ ଠାରୁ ୨୦୧୪ ମସିହାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଯୋଗାଣ ନିରୀକ୍ଷକ ବବିଲତା ବେହେରା ଧରା ପଡ଼ିଥିଲେ । ଏହି ମାମଲାରେ ଆଜି ଅନୁଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବବିଲତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମନା , ଜୋରିମନା ଅନାଦେୟ ଅଧିକ ୩ ମାସ ଜେଲ ଭୋଗିବାକୁ ନିର୍ଦ୍ଧେଶ ଦେଇଛନ୍ତି ।
ସୂଚନା ଅନୁସାରେ ୨୯ ଏପ୍ରିଲ ୨୦୧୪ ରେ ନିରୋଦ ସାହୁ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ କି ୬୪ ହଜାର ଲିଟର କିରୋସିନି ବିଲ ପାସ ପାଇଁ ଯୋଗାଣ ନିରୀକ୍ଷକ ବବିଲତା ବେହେରା ୪୩ ହଜାର ଟଙ୍କା ଲାଞ୍ଚ ଦାବି କରିଛନ୍ତି । ଏଥିପାଇଁ ୩୦ ଏପ୍ରିଲ ରେ ବବିଲତାଙ୍କୁ ସେ ୪୩ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ଲାଞ୍ଚ ଟଙ୍କା ନିଜ ଭେନିଟି ବ୍ୟାଗ୍ ରେ ରଖିଥିବା ବେଳେ ଭିଜିଲାନ୍ସ ଚଢାଉ କରି ବବିଲତାଙ୍କୁ ଗିରଫ କରି ତାଙ୍କ ନାମରେ ମାମଲା ରୁଜୁ କରିଥିଲେ । ଏହି ମାମଲା ବିଗତ ୧୧ ବର୍ଷ ଧରି ଚାଲିଥିବା ବେଳେ ଭିଜିଲାନ୍ସ ସ୍ପେଶାଲ ଜଜ ରାଜଲକ୍ଷ୍ମୀ ପଟ୍ଟନାୟକ ୮ ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ୪ ବର୍ଷ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି । ଜୋରିମାନା ଟଙ୍କା ଦେବାରେ ଖିଲାପ ହେଲେ ଅଭିଯୁକ୍ତକୁ ଆଉ ୩ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାଏ ହୋଇଛି । ଏହି ମାମଲାକୁ ପିପି ଅଶ୍ୱିନ କୁମାର ପରିଚାଳନା କରିଥିଲେ ।